March 12, 2026

ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଦଣ୍ଡଯାତ୍ରା, ଜମୁଛି ମୟୁର ପୁଚ୍ଛ ବେପାର

yjgujguj
Share

ବୁଗୁଡା : ତା ୩୦/୦୩/୨୩ : ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ଦଣ୍ଡଯାତ୍ରା ପର୍ବ ଆରମ୍ଭ ହୋଇଯାଇଛି । ମେରୁ ସଂକ୍ରାନ୍ତି ଯାଏଁ ଚାଲିବାକୁ ଥିବା ଏହି ଦଣ୍ଡଯାତ୍ରା ପର୍ବ ଯୋଗୁଁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସାଙ୍ଗକୁ ଦେବଦେବ ମହାଦେବ ଓ ମା’ ମହାମାୟୀ କାଳୀଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ହେଉଛି । ଚାରିଆଡ଼େ ଦେଖିବାକୁ ମିଳୁଛି ଦଣ୍ଡୁଆଦଳଙ୍କ ଗହଳି ଚହଳି ଓ ନଗର ପରିକ୍ରମା । ବର୍ଷ ତମାମ ବିଭିନ୍ନ ସମୟରେ ମୟୁର ପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀର ବିକ୍ରିବଟା ହେଉଥିଲେ ମଧ୍ୟ ଦଣ୍ଡଯାତ୍ରା ସମୟରେ ମୟୁର ପୁଚ୍ଛ କାରବାର ଆଶାତୀତ ଭାବେ ବୃଦ୍ଧି ପାଇଛି । ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ
ଦୃଷ୍ଟିରେ ରଖି ବୁଗୁଡ଼ା ଅଞ୍ଚଳର ଅଧିକାଂଶ ବ୍ୟବସାୟୀ
ବ୍ରହ୍ମପୁରରୁ ମୟୁର ପୁଚ୍ଛ ଆଣି ବିକ୍ରି କରୁଛନ୍ତି । ଦଣ୍ଡଯାତ୍ରା ସମୟରେ ବୁଗୁଡ଼ା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ମୟୁର ପୁଚ୍ଛ କାରବାର ହେଉଛି । ମାନସିକଧାରୀ ଦଣ୍ଡୁଆମାନେ ଏହି
ମୟୁର ପୁଚ୍ଛକୁ ଧାରଣ କରିଥାନ୍ତି । ସ୍ଥାନୀୟ ମୁଖ୍ୟ ସଡ଼କସ୍ଥିତ ଅମ୍ବିକା ପୂଜା ଷ୍ଟୋର, ଗଣେଶ ବଜାରର ସାଈ ଭେରାଇଟ୍ ଷ୍ଟୋର, ମା’ ଭୈରବୀ ଷ୍ଟୋର, ପଣ୍ଡା ପୂଜା ଷ୍ଟୋର, ଚନ୍ଦ୍ରପାତ୍ର ଷ୍ଟୋର ଏବଂ ମଦନ ମୋହନ ଛକର ମିତାଲି ଗିଫ୍ଟ ହାଉସ୍ ସାଙ୍ଗକୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଦେଖିବାକୁ ମିଳୁଛି ମୟୁର ପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସମାଗ୍ରୀର ବିକ୍ରିବଟା । ଏହିସବୁ ମୟୁର ପୁଚ୍ଛ ରାଜସ୍ଥାନର ଯୋଧପୁର, ଉତ୍ତରପ୍ରଦେଶର ଆଗ୍ରା, ପଶ୍ଚିମବଙ୍ଗର କୋଲକାତାରୁ ପ୍ରଚୁର ପରିମାଣର ଆସୁଥିବା ନେଇ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।