ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଓ ସ୍ୱାସ୍ଥ୍ୟ ସେବା ଶିବିର
ଛତ୍ରପୁର -୯/୧/୨୫(ଅରୁଣ କୁମାର ପଣ୍ଡା )ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ୨୦୨୫ମସିହା ସୁଦ୍ଧା ଭାରତକୁ ଯକ୍ଷ୍ମାରୋଗ ମୁକ୍ତ କରିବାର ଉଦ୍ଧେଶ୍ୟ ନେଇ ଏବେ ଚାରିଆଡେ ସ୍ୱାସ୍ଥ୍ୟ ସଚେତନତା ଶିବିର ଜାରି ରହିଛି। ସେହି କ୍ରମରେ ଛତ୍ରପୁର ସ୍ଥିତ ରୋଟାରୀ କ୍ଲବ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରର ମିଳିତ ସହଯୋଗରେ ସ୍ଥାନୀୟ ପାଲିଆ ଛତ୍ରପୁର ସ୍ଥିତ କପିଳେଶ୍ୱର ମନ୍ଦିରରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ଆରମ୍ଭରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ବାର୍ତ୍ତାକୁ ନେଇ ପାଲିଆ ଛତ୍ରପୁରରେ ଏକ ରାଲି ବାହାରି ଲୋକଙ୍କୁ ସଚେତନ କରାଯାଇଥିଲା। ପରେ ଡ଼ଃ ଶ୍ୟାମସୁନ୍ଦର ମହାରଣା, ଡ଼ଃ ୱାଇ ଲକ୍ଷ୍ମୀ, ହୋମିଓପ୍ୟାଥିକ ସହାୟକ ଡ଼ଃ ନୀଳମାଧବ, ଲ୍ୟାବ ଟେକ୍ନିସିଆନ ସଂହିତା ପଣ୍ଡାଙ୍କ ନେତୃତ୍ୱରେ ଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଦଳ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯକ୍ଷ୍ମା, ମଧୁମେୟ, ଥାଇରଏଡ଼ ତଥା ଗଣ୍ଠି ଯନ୍ତ୍ରଣା ଭଳି ଅନେକ ରୋଗରୁ କିପରି ହୋମିଓପ୍ୟାଥି ଔଷଧ ସେବନ ଦ୍ୱାରା ମୁକ୍ତି ମିଳିପାରିବ ସେ ନେଇ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଏହି ସଚେତନତା ଶିବିରରେ ଡ଼ଃ ସିଦ୍ଧେଶ୍ଵର ବେହେରା ଓ ଡ଼ଃ ବିଜୟଲକ୍ଷ୍ମୀ ବେହେରା ଅତିଥି ଭାବେ ଆସି ଯୋଗ ଦେଇଥିଲେ। ସେହିପରି ଛତ୍ରପୁର ରୋଟାରୀ କ୍ଳବର ସଭାପତି ଡ଼ଃ ବିମଳ ପ୍ରସାଦ ସାହୁ, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର, ସମ୍ପାଦକ ଦ୍ଵାରିକା ପଟ୍ଟନାୟକ, ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଜ୍ୟୋତି ପ୍ରକାଶ ରାଓ ତଥା ସ୍ଥାନୀୟ ପାଲିଆ ଛତ୍ରପୁରର ଗ୍ରାମବାସୀ ଏହି ଶିବିର ସୁଚାରୁରୂପେ ପରିଚାଳନା କରିବାରେ ଯଥାସମ୍ଭବ ସହାୟତା କରିଥିଲେ।