April 27, 2026

ମୋହନା ବ୍ଲକରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ …

IMG-20241021-WA0054
Share

ଗଜପତି ଜିଲ୍ଲାର ମୋହନା ବ୍ଲକ ଏକ ପାହାଡ଼ିଆ ଦୁର୍ଗମ ଅଞ୍ଚଳ। ଏହି ଅଞ୍ଚଳରେ ସାଧାରଣ ଭାବେ ବର୍ଷା କିମ୍ବା ପବନ ହେଲେ ସାଧାରଣରେ ବ୍ୟାପକ କ୍ଷୟ କ୍ଷତି ହେଉଥିବା ଦେଖିବାକୁ ମିଳେ। ଚଳିତ ମାସ ୨୩ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମ୍ଭାବ୍ୟ ବାତ୍ୟା ‘ ଦାନା ‘ ଆସିବା ଫଳରେ ପାଣିପାଗ ସୂଚନା ପ୍ରକାରେ ଗଜପତି ଜିଲ୍ଲା ରେ ମଧ୍ୟ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜିଲ୍ଲାପାଳ ବିଜୟ କୁମାର ଦାସ ଙ୍କ ନିର୍ଦ୍ଦେଶ ପ୍ରକାରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ନିଜ ସହକର୍ମୀ ମାନଙ୍କୁ ଡକାଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରି ଦାୟିତ୍ଵ ପ୍ରଦାନ କରିଛନ୍ତି। ମୋହନା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟ କୋଠା ଗୁଡ଼ିକ ଖୋଲି ବିଦ୍ୟାଳୟ ପରିଚାଳନା ସଭାପତିଙ୍କ ସମେତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଘଟଣାସ୍ଥଳରେ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ବାତ୍ୟା ଆଶଙ୍କା ଥିବାରୁ ସମସ୍ତ୍ ପ୍ରସ୍ତୁତି ସହ ଜଣେ ଜଣେ ଅଧିକାରୀଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସଙ୍ଗେ ପାନୀୟ, ଔଷଧ, ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ରହିବା ନିମନ୍ତେ ନିର୍ଦ୍ଦେଶ ଥିବା ପ୍ରକାଶ। ପ୍ରବଳ ବର୍ଷା ହେଲେ ପାହାଡ ଧସିବା ସମ୍ଭାବନା ଥିବାରୁ ସେହି ଅଞ୍ଚଳ ଜନସାଧାରଣ ଙ୍କୁ ନିକଟରେ ଥିବା ସୁରକ୍ଷା ସ୍ଥାନକୁ ଯିବା ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଆଜିର ଏହି ପ୍ରସ୍ତୁତି ବୈଠକରେ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।