October 5, 2024

ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ,    ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ପୁସ୍ତିକା ପ୍ରସ୍ତୁତି ଏବଂ ଅନୁବାଦ କର୍ମଶାଳା ଅନୁଷ୍ଠିତ 

Share

 

 

ପାରଳାଖେମୁଣ୍ଡି:୫/୧୦ (ଗରୁଡ଼ ଧ୍ଵଜ ଚୌଧୁରୀ) ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଓ ପ୍ରାଥମିକ ସ୍ତରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ପୁସ୍ତିକା ପ୍ରସ୍ତୁତି ଏବଂ ଅନୁବାଦ କର୍ମଶାଳା ଗଜପତି ଜିଲ୍ଲାର ବେତାଗୁଡ଼ା ସ୍ଥିତ ଅନ୍ଵେଷା ହଷ୍ଟେଲଠାରେ ଆଜି ଶନି ବାର ଠାରୁ ଆରମ୍ଭ ହୋଇଛି । ଏହା ୪ଦିନ ଧରି ଅନୁଷ୍ଟିତ ହେବ । ଗଜପତି ଜିଲ୍ଲା ଶିକ୍ଷା ନିରୀକ୍ଷକ ରମେଶ ଚନ୍ଦ୍ର ଦାସଙ୍କ ତତ୍ତ୍ଵବଧାନରେ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ, ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵରର ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାଷାବିତ୍ ଡ଼. ପରମାନନ୍ଦ ପଟେଲ ଏବଂ ଭୂବନେଶ୍ଵର ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ର ସହ ଗବେଶିକା ଡ଼. ସଂଯୁକ୍ତା ମହାରଣା, ତଥା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଡ଼. ପରମାନନ୍ଦ ପଟେଲ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କୋୟା, ଦେଶୀୟା, ଗୋଣ୍ଡି, କନ୍ଧ ଓ ସଉରା ଭାଷାରେ ପ୍ରଥମ ଶ୍ରେଣୀରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଏଫ: ଏଲ: ଏନ ସମ୍ବନ୍ଧୀୟ ପାଠ୍ୟ ପୁସ୍ତକକୁ ଅନୁବାଦ କରିବା ତଥା ଶିକ୍ଷଣୀୟ ସାମଗ୍ରୀର ଉନ୍ନତିକରଣ କରିବା ଏହାର ଲକ୍ଷ୍ୟ ବୋଲି କହିଥିଲେ । ଡ଼. ସଂଯୁକ୍ତା ମହାରଣା ଏଫ: ଏଲ: ଏନ ର ଗୁରୁତ୍ଵ ସହ ଆଗାମୀ ଦିନରେ ପିଲାଙ୍କ ଉପରେ ଏହାର ଗୁରୁତ୍ୱକୁ ନେଇ ଆଲୋକପାତ କରିଥିଲେ ।ଏହି କର୍ମଶାଳାରେ ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ଗଜପତି ଜିଲ୍ଲା ର ମୋଟ ୨୫ ଜଣ ସମ୍ବଳବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳା କୁ ଫିରୋଜ ଖାନ୍ ଛିଞ୍ଚାଣୀ, ଲଳିତ ମୋହନ ମିଶ୍ର ଏବଂ ରାଜେନ୍ଦ୍ର ପ୍ରସାଦ ସାହୁ ପରିଚାଳନା କରୁଥିବା ଜଣାପଡିଛି । ଏହା ଆସନ୍ତା ମଙ୍ଗଳ ବାର ଦିନ ଉଦଯାପିତ ହେବ ବୋଲି ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ରୀ ଦାସ ସୂଚନା ଦେଇଛନ୍ତି