September 29, 2024

ଉମରକୋଟ ନିକଟସ୍ଥ ଝରିଗାଁ ରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପର ଘରେ ଆଶ୍ରୟ…….

Share

ଉମରକୋଟ/ଝରିଗାଁ:-(ଏମ୍.ଦିନା°ଶୁ ଆଚାରୀ)

ଗରିବ ଅସହାୟ ବାସହୀନ ମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି |କିନ୍ତୁ ଏହି ଯୋଜନାରେ ଥିଲାଵାଲା ଲୋକେ ହାତେଇ ଘର ଉପରେ ଘର କରୁଥିବା ବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ଯୋଜନାରୁ ବଞ୍ଚିତ ରହି ବର୍ଷ ବର୍ଷ ଧରି ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି |ଗତ କିଛିଦିନ ଧରି ଝରୀଗାଁ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ତାର ପ୍ରଭାବରେ ଏକାମ୍ବା ପଂଚାୟତ ଅନ୍ତର୍ଗତ ଧନପୁର ଗ୍ରାମର ୩ ପରିବାର ପ୍ରଭାବିତ ହୋଇଛନ୍ତି | ଲଗାଣ ବର୍ଷାରେ ସେମାନଙ୍କ ଘର ସବୁ ଭାଙ୍ଗିଯିବା ପରେ ଏବେ ପଡୋଶୀ ଘରେ ଘରେ ମୁଣ୍ଡଗୁଞ୍ଜି ଥିବା ଦେଖିବାକୁ ମିଳିଛି |ଧନପୁର ଗ୍ରାମର ପିଲା ହରିଜନ (୨୮) ସ୍ତ୍ରୀ ହେମlବତୀ ହରିଜନ (୨୬)ଓ ଦୁଇ ପୁଅଝିଅ ନବୀନ ହରିଜନ (୭)ଓ ଭବାନୀ ହରିଜନ(୯) ଙ୍କୁ ଧରି ପଡୋଶୀ ଘରେ ଆଶ୍ରୟ ନେଇଥିବା ବେଳେ ବିଧବା କମଳା ଗୌଡ଼(୫୦) ମଧ୍ୟ ଗୋଟିଏ ୧୬ବର୍ଷର ଯୁବା ଝିଅ ଭବାନୀ ଗୌଡ଼ ସହ ଭଙ୍ଗା କୁଡ଼ିଆ ଘରେ ଆଶ୍ରୟ ନେଇଛନ୍ତି | ସେହିଭଳି ବିଧବା କୟନା ଗୌଡ଼(୬୪) ମଧ୍ୟ ଘର ଭାଙ୍ଗିଯିବା ପରେ ବାସହରା ହୋଇ ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି | ଅନ୍ୟପକ୍ଷେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଘର କ୍ଷତିଗ୍ରସ୍ତ ବିପନ୍ନଙ୍କ ଚିହ୍ନଟ ତାଲିକା ବ୍ଲକ ପ୍ରଶାସନ ନିକଟରେ ପହଞ୍ଚିନଥିବା ସୂଚନା ଦେଇଛନ୍ତି ବି ପି ସି ଶିବାନନ୍ଦ ଶତପଥୀ। ତହସିଲଦାର ଶଙ୍କର ପଟ୍ଟନାୟକ ଙ୍କୁ ବର୍ଷାଜନିତ କ୍ଷତିଗ୍ରସ୍ତ ପରିବାର ପ୍ରସଙ୍ଗରେ ପଚାରିବାରୁ ଆସନ୍ତା ମଙ୍ଗଳବାର ଦିନ ଏହି ପ୍ରସଙ୍ଗରେ ତଦନ୍ତ କରିବେ ବୋଲି କହିଛନ୍ତି। ପ୍ରାପ୍ତ ସୂଚନା ପ୍ରକାରେ ବ୍ଲକର ବିଭିନ୍ନ ପଞ୍ଚାୟତର ଏକାଧିକ ଗ୍ରାମରେ ବର୍ଷାଜନିତ ଗୃହ କ୍ଷତି ହୋଇଥିବା ଅନେକ ପରିବାର ୨୦୨୨ ବର୍ଷ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ତାଲିକା ପ୍ରସ୍ତୁତ ହୋଇନଥିବା ଜଣା ପଡ଼ିଛି। କିଛି ହିତାଧିକାରୀଙ୍କୁ ଚିହ୍ନଟ ପରେ କିଛି ଆର୍ଥିକ ସହାୟତା ସହ ଟାର ପୁଲନି ପ୍ରଦାନ କରାଯାଇଥିଲା। ଆବାସ ଘର ଯୋଗାଇବାକୁ ପ୍ରତିଶ୍ରୁତି ଦେବାପରେ ଏଯାବତ୍ ଗୃହ କ୍ଷତିଗ୍ରସ୍ତ ପରିବାରଙ୍କ ତାଲିକା ପ୍ରସ୍ତୁତ ହୋଇନଥିବା ଜଣାପଡିଛି।

ପ୍ରଶାସନ ତୁରନ୍ତ ଏମାନଙ୍କ ଥଇଥାନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ଖଣ୍ଡେ ଯୋଗେଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି |

You may have missed