September 23, 2024

ଲାଞ୍ଜିଗଡ଼ରେ ଭୈରବଙ୍କର ଝାମୁଯାତ୍ରା ସମ୍ପନ୍ନ 

Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ରାଜା ଲାଞ୍ଜିଗଡ଼ରେ ଏଠାକାର ଇଷ୍ଟଦେବ ପ୍ରଭୁ ଅଗ୍ନିଭୈରବ ଓ ବାଲିଭୈରବଙ୍କର ଝାମୁଯାତ୍ରା ସମ୍ପନ୍ନ ହୋଇଯାଇଛି l କେଉଁ ପ୍ରାଚୀନ କାଳରୁ ଏହି ଯାତ୍ରା ପ୍ରଚଳନ ହୋଇଛି l ଭାଦ୍ରଵ ଶୁକ୍ଳ ଦଶମୀରେ ନବାନ୍ନ ଭକ୍ଷଣ ପର ଦିନ ଏହି ଯାତ୍ରା ଆରମ୍ଭ ହୋଇ ନଅ ଦିନ ପର୍ଯ୍ୟନ୍ତ ଚାଲି ଆଶ୍ଵିନ କୃଷ୍ଣ ପକ୍ଷ ଅଶ୍ୱ ପଞ୍ଚମୀ ଦିନ ସମାପନ ହୋଇଥାଏ l ଦୁଇଜଣ ପୂଜାରୀଙ୍କ ଦେହରେ ଅଗ୍ନିଭୈରବ ଓ ବାଲିଭୈରବଙ୍କର ସମାବେଶ ହୋଇଥାଏ l ଗତକାଲି ଦେବତାମାନେ କଣ୍ଟାଗାଦିଆରେ ବସିଥିଲେ l ଘଞ୍ଚ ଜଙ୍ଗଲରୁ ଏକ ସ୍ୱତନ୍ତ୍ର କଣ୍ଟl ଗଛର କଣ୍ଟା ଆଣି ଏହି କଣ୍ଟା ଆସନ ପ୍ରସ୍ତୁତ ହୋଇଥାଏ l ସେହି ଆସନରେ ସେମାନେ ଆରାମରେ ବସି ଝୁଲନ୍ତି l ଆଜି ଯାତ୍ରାର ଶେଷ ଦିନରେ ନିଆଁରେ ଚାଲିବା କାର୍ଯ୍ୟକ୍ରମ ଥିଲା l ନିଆଁରେ ଚାଲିବା ପରେ ମଇଁଷି ସହିତ ଛେଳି, ମେଣ୍ଢା ଓ କୁକୁଡ଼ା, ପାରା ପ୍ରଭୃତି ବଳି ଦିଆଯାଇଥାଏ l ଅନେକ ମାନସିକଧାରୀ ମଧ୍ୟ ବଳି ଦେବା ପାଇଁ ଆସିଥାନ୍ତି l ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଆସିଛି l ଏହି ଯାତ୍ରା ଦେଖିବା ପାଇଁ ଦୂର ଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥାଏ l ଆଜିର ଏହି ଯାତ୍ରାରେ ଦଶ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ସମାଗମ ହୋଇଥିଲା l ସବୁ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା l ଏଠାରେ କହି ରଖୁଁ ଯେ ଲାଞ୍ଜିଗଡ଼ ନିକଟସ୍ଥ ବଳଭଦ୍ରପୁରରେ ଗତକାଲି ବୁଢ଼ାଭୈରବଙ୍କର ନବଦିନାତ୍ମକ ଝାମୁଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି l ଏହା ମଧ୍ୟ ପ୍ରାଚୀନ କାଳରୁ ପ୍ରଚଳିତ ଅଛି l ଏଠାରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ସମାଗମ ହୋଇଥିଲା l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର