September 21, 2024

ବୀରମହାରାଜପୁର ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗର ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

Share

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗର ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଇଂରାଜୀ ବିଭାଗର ମୁଖ୍ୟ ଗୀତାଞ୍ଜଳି ପୂଝାରୀ, ପ୍ରାଣୀ ବିଜ୍ଞାନ ମୁଖ୍ୟ ସଞ୍ଜିତ୍ କୁମାର ନାୟକ, ରସାୟନ ବିଜ୍ଞାନ ଅଧ୍ୟାପକ ବିରଞ୍ଚିନାରାୟଣ ମିଶ୍ର, ପଦାର୍ଥ ବିଜ୍ଞାନର ଡେମନଷ୍ଟେଟର ବଳରାମ ଶତପଥୀ ପ୍ରମୁଖ ଯୋଗଦେଇ ଏକାଗ୍ର ମନରେ କଠୋର ପରିଶ୍ରମ କଲେ ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ମତବ୍ୟକ୍ତ କରିଥିଲେ l

ସେହିପରି ବିଜ୍ଞାନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମଧ୍ୟରୁ ଜିତେନ୍ଦ୍ର କୁମାର ସାହୁ, ଦୀପକ ଟପୋ, ବିଦ୍ୟୁତପ୍ରଭା ରଥ, ସିଦ୍ଧେଶ୍ବର ତ୍ରିପାଠୀ, ମାଧବ ପଧାନ, ସୁନୀଲ କୁମାର ତ୍ରୀପାଠୀ ପ୍ରମୁଖ ବକ୍ତବ୍ୟ ରଖି ଛାତ୍ରଛାତ୍ରୀ ମାନଙ୍କୁ ଭଲମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ । ଛାତ୍ରୀଛାତ୍ରୀଙ୍କ ମଧ୍ୟରୁ ଶ୍ରୀୟା ମଞ୍ଜରୀ ସାହୁ ଓ ପ୍ରିତିଷ ସାହୁ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ବାଗତ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଗତ ଶିକ୍ଷାବର୍ଷରେ ଯୁକ୍ତ ତିନି ରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ନ୍ଧନା ଦିଆଯାଇଥିଲା । ଛାତ୍ରୀ ସ୍ବାଗତିକା ରଥ ଓ ସୁପ୍ରିତା ମେଣ୍ଡିଳି ସଭା ସଂଯୋଜନା କରିଥିବା ବେଳେ ସୁପ୍ରିୟା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।