ନବରଙ୍ଗପୁର ମହାବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପରିଦର୍ଶନ..
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନବରଙ୍ଗପୁର ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହା ପରେ ମହାବିଦ୍ୟାଳୟର ବିଜ୍ଞାନ ଭବନ ପରିସରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓଙ୍କ ସଭାପତିତ୍ବରେ ବିନୋଦ ଝା ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ୍ ଯୋଗ ଦେଇଥିବା ବେଳେ ଅନ୍ୟତମ ବରେଣ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ନବରଙ୍ଗପୁର, ଶ୍ରୀ ଗୌରୀ ଶଙ୍କର ମାଝୀ, ପୌରାଧ୍ୟକ୍ଷ ନବରଙ୍ଗପୁର, ଶ୍ରୀ କୁନୁ ନାୟକ, ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ, ଇତିହାସ ବିଭାଗ ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଅଧ୍ୟକ୍ଷ ଶ୍ରୀ ରାଓ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ମହାବିଦ୍ୟାଳୟର ଗରୀମାମୟ ଐତିହ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଏହାର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହାପରେ ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଏ ଅଞ୍ଚଳର ଭାବାବେଗ ସହିତ ଜଡ଼ିତ ନବରଙ୍ଗପୁର ମହାବିଦ୍ୟାଳୟକୁ ତାଙ୍କ ସରକାରର ଅଳ୍ପ ଦିନ ଭିତରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଆସିଥିବାରୁ ମହାବିଦ୍ୟାଳୟର ସମସ୍ତ ପ୍ରକାର ଅଭାବ ଅସୁବିଧା ଖୁବଶୀଘ୍ର ଦୂର ହୋଇପାରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ସେହିପରି ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ ନୂତନ ଜାତୀୟ ଶିକ୍ଷାନୀତି କିପରି ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ ଓ କର୍ମ ନିଯୁକ୍ତି ଯୋଗାଇ ଦେବ ଆଲୋକପାତ କରିଥିବା ବେଳେ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ ହୋଇଥିବାରୁ ଏହାକୁ ସରକାରୀ ମାନ୍ୟତା ଦେବା ଏବଂ ସବୁ ବିଷୟରେ ରେଗୁଲାର ସ୍ନାତକତ୍ତୋର ପାଠ୍ୟକ୍ରମ ଖୋଲିବା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ କହିଥିଲେ । ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପିଲାମାନଙ୍କୁ ୨୦୩୬ ସୁଦ୍ଧା ନବରଙ୍ଗପୁର ଜିଲ୍ଲାକୁ ସାକ୍ଷରତା କ୍ଷେତ୍ରରେ ଭାରତରେ ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିବା ପାଇଁ ଆହ୍ବାନ ଦେଇଥିବା ବେଳେ ନବରଙ୍ଗପୁର ମହାବିଦ୍ୟାଳୟ ପାଇଁ ଏ ଅଞ୍ଚଳର ବୁଦ୍ଧିଜୀବୀ, ଛାତ୍ର ସମାଜ ଓ ଲୋକ ପ୍ରତିନିଧିମାନଙ୍କର ଯାହା ବି ଦାବି ରହିଛି ତାକୁ ପୂରଣ କରିବା ଦିଗରେ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି କହିଥିଲେ । ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ହୋତା ପ୍ରଥମେ ବୃତ୍ତଚିତ୍ର(PPT) ମାଧ୍ୟମରେ ମହାବିଦ୍ୟାଳୟର ଐତିହାସିକ ଧାରା ବିବରଣୀ ଦେବା ସହିତ ମହାବିଦ୍ୟାଳୟର ସାଂପ୍ରତିକ ସ୍ଥିତି ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ପରିଚାଳନା କରିଥିବା ବେଳେ ଇତିହାସ ବିଭାଗ ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହିତ ଭାବ ବିନିମୟ କରିଥିବା ବେଳେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।