November 15, 2024

ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର , ପୋଲିସର ତଦନ୍ତ ଜାରି 

Share

 

ବୁଗୁଡା : ତା ୧୬/୦୮/୨୪ : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବୁଦ୍ଧଖୋଲ ପାହାଡ଼କୁ ଲାଗିଥିବା ବାଙ୍କି ଜଙ୍ଗଲରୁ ଏକ ନର କଙ୍କାଳକୁ ଆଜି ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ସକାଳେ ବୁଗୁଡା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ଟଭାପଲ୍ଲୀ ଗ୍ରାମର କିଛି ଲୋକ କାଠ ଓ ବାଉଁଶ ଆଣିବା ପାଇଁ ମୁକୁନ୍ଦପୁର ଶିବ ମନ୍ଦିର ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେତେବେଳେ କୌଣସି ଏକ ଦିଗରୁ ଦୁର୍ଗନ୍ଧ ଆସୁଥିବାର ଜାଣିପାରିଲେ । ସେମାନେ ସେହି ଦିଗରେ କିଛି ବାଟ ଅତିକ୍ରମ କରିବା ପରେ ପଥର କୋରଡରେ ଏକ ନର କଙ୍କାଳ ପଡିଥିବାର ଦେଖିଥିଲେ । ସେମାନେ ସେଠାରୁ ଫେରିଆସି ଗାଁ ଲୋକଙ୍କୁ ନର କଙ୍କାଳ ପଡିଥିବା କଥା ଜଣାଇଥିଲେ । ଏ ନେଇ ପୋଲିସ ଖବର ପାଇବା ପରେ ସେଠାରେ ପହଞ୍ଚି ନର କଙ୍କାଳକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ , ଗତ ଜୁଲାଇ ୧୮ ତାରିଖ ଗୁରୁବାର ଦିନ ଟଭାପଲ୍ଲୀ ଗ୍ରାମ ହରିଜନ ସାହିର ଅନ୍ତରା ନାୟକ (୬୫)ଜଙ୍ଗଲକୁ ଯାଇ ଆଉ ଘରକୁ ଫେରି ନଥିଲେ । ଗ୍ରାମବାସୀଙ୍କ ସହିତ ଘର ଲୋକେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିବା ବେଳେ ଅନ୍ତରା ନେଇଥିବା ଟିଫିନ୍ ବକ୍ସ, ବ୍ଯାଗ ଓ ବାଡି ରାସ୍ତା କଡରେ ପଡିଥିବାର ଦେଖିବାକୁ ପାଇଥିଲେ ହେଁ ତାଙ୍କର କୌଣସି ପତ୍ତା ପାଇପାରିନଥିଲେ । ଏ ନେଇ ବୁଗୁଡା ଥାନାରେ ନିଖୋଜ ଅଭିଯୋଗ ହୋଇଥିଲା ବେଳେ ପୋଲିସ୍ ମିସିଙ୍ଗ୍ କେସ୍ ନଂ ୪୮/୨୪ରେ ଏକ ମାମଲା ରୁଜୁ କରି ଜଙ୍ଗଲକୁ ଯାଇ ବୃଦ୍ଧ ଅନ୍ତରାଙ୍କୁ ଖୋଜାଖୋଜି କରି ନିରାଶ ହୋଇ ଫେରିଥିଲେ । ଏ ସମୟରେ ଓଡଙ୍ଗା ଓ ଜଗନ୍ନାଥପ୍ରସାଦ ବନାଅଞ୍ଚଳରେ ବାଘର ଉପସ୍ଥିତି ଖବର ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲିବା ପରେ ଅନ୍ତରା ବାଘର ଶିକାର ହୋଇଥାଇପାରେ ବୋଲି ଟଭାପଲ୍ଲୀ ଗ୍ରାମବାସୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପୋଲିସ ଓ ବନ ବିଭାଗର ଉଦାସୀନତା ମନୋଭାବକୁ ନେଇ ଖବର ପ୍ରକାଶ ପାଇବା ପରେ ପୁଣି ଗତ ଅଗଷ୍ଟ ୧ ତାରିଖରେ ପୋଲିସ ଫୋର୍ସ ସହିତ ସ୍ଥାନୀୟ ତହସିଲଦାରଙ୍କ ସମେତ ଚାପଗ୍ରସ୍ତ ବନ ବିଭାଗ ଓ ପୋଲିସ ବିଭାଗର ଅଧିକାରୀମାନେ ଜଙ୍ଗଲରେ ବାଘର ଉପସ୍ଥିତି ଏବଂ ଅନ୍ତରାଙ୍କ ସମ୍ପର୍କରେ କୌଣସି ଠୋସ୍ ସୁରାକ୍

ପାଇନପାରି ଖାଲି ହାତରେ ଫେରିଥିଲେ । ତେବେ ଆଜି ଜଙ୍ଗଲରୁ ନର କଙ୍କାଳ ଠାବ ସହ ଉଦ୍ଧାର କରାଯାଇଥିବା ବେଳେ ଅନ୍ତରାଙ୍କ ନିଖୋଜ ରହସ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ବେଳେ ପୋଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି ।