October 5, 2024

ବୁଗୁଡ଼ାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ , ଜନସାଧାରଣଙ୍କ ଆସ୍ଥା ହରାଉଛି ପୋଲିସ ! 

Share

ବୁଗୁଡ଼ା : ତା ୨୭/୦୭/୨୪ : ସଂପ୍ରତି ବୁଗୁଡ଼ା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏଠି ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ରାସ୍ତାରେ ଗାଡି ଅଟକାଇ ଲୋକଙ୍କୁ ଅସାମାଜିକ ବ୍ଯକ୍ତିଗଣଙ୍କ ଗୋଷ୍ଠୀବଦ୍ଧ ଆକ୍ରମଣ ଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସର କାର୍ଯ୍ଯାନୁଷ୍ଠାନ ଠିକଣା ଢଙ୍ଗରେ ହେଉନଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଏଥି ସହ ବୁଗୁଡ଼ା ସହରରେ ଟ୍ରାଫିକ୍ ସମସ୍ୟାରେ ଲୋକେ ହଟହଟା ହେଉଥିବା ବେଳେ ଏ ଦିଗରେ ପୋଲିସର ଉଦାସୀନତା ମନୋଭାବ ଦେଖିବାକୁ ମିଳୁଛି । ସହରରେ ରୋମିଓଙ୍କ ବର୍ଦ୍ଧିତ ପ୍ରାର୍ଦୁଭାବ ଯୋଗୁଁ ସ୍କୁଲ ଓ କଲେଜ ପଢୁଆ ଛାତ୍ରୀମାନେ ସୁରକ୍ଷିତ ମଣୁନଥିବା ବେଳେ ପୋଲିସର ଦାୟିତ୍ବବୋଧତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ବୁଗୁଡାର ସହରାଞ୍ଚଳ ସାଙ୍ଗକୁ ଗ୍ରାମାଞ୍ଚଳରେ ମଧ୍ୟ ଅବାଧରେ ନିଶା କାରବାର ଚାଲିଥିବା ବେଳେ ପୋଲିସ୍ ଧୃତରାଷ୍ଟ୍ର ସାଜିଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ପୂର୍ବରୁ ଅଞ୍ଚଳରେ ଚୋରି , ରୋମିଓଗିରି , ଅବାଧ ନିଶାଦ୍ରବ୍ୟ କାରବାର ଆଦିକୁ ପ୍ରତିହତ କରିବା ପାଇଁ ପୋଲିସର ସକ୍ରିୟତା କିଛି ମାତ୍ରାରେ ଦେଖିବାକୁ ମିଳିଥିଲା ବେଳେ ଏବେ ପ୍ରାୟ ପାଞ୍ଚ ମାସ ହେବ ପୋଲିସର ନିଷ୍କ୍ରିୟତା ଯୋଗୁଁ ବୁଗୁଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସଂପ୍ରତି ସହରରେ ସଂଗଠିତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହତ କରିବା କ୍ଷମତା ହରାଇ ବସିଥିବା ଭଳି ମନେ ହେଉଥିବା ସ୍ଥାନୀୟ ପୋଲିସ ପ୍ରଶାସନ ପ୍ରତି ଜନସାଧାରଣଙ୍କ ଆସ୍ଥା ତୁଟି ଯାଉଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।