October 5, 2024

ମ୍ୟାଟ୍ରିକରେ କୃତିତ୍ୱ : ପ୍ରୟାସୀଙ୍କ 548 ବୃକ୍ଷ ରୋପଣ ପ୍ରୟାସ  …

Share

 

ଭଂଜନଗର/ ବେଲଗୁଣ୍ଠା, ୨୨ ଜୁଲାଇ:

ସୋରଡ଼ା ବ୍ଳକ ର କୁଲାଙ୍ଗି ଗ୍ରାମର ଉଦୟନାଥ ବିଦ୍ୟାପୀଠ ର ଛାତ୍ରୀ ସୁଶ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କା, ପିତା – ପ୍ରଫୁଲ୍ଲ କୁମାର ଲେଙ୍କା, ମାତା – ପ୍ରିୟମ୍ବଦା ମହାନ୍ତି, ଗ୍ରାମ- ଖାସପା। ବାପା ଜଣେ ସମାଜସେବୀ ଏବଂ ମାଆ ଜଣେ ମହିଳା ସ୍ଵାସ୍ଥ୍ୟ କର୍ମୀ। କୁଲାଙ୍ଗି ଉଦୟନାଥ ବିଦ୍ୟାପୀଠ ର ଛାତ୍ରୀ ସୁଶ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କା ଗତ ମ୍ୟାଟ୍ରିକ ପରୀକ୍ଷାରେ ୫୪୮ ମାର୍କ ରଖି ବିଦ୍ୟାଳୟ ପାଇଁ ଏବଂ ସୋରଡ଼ା ବ୍ଳକ ପାଇଁ ଗୌରବ ଆଣି ଦେଇଛନ୍ତି। ବିଦ୍ୟାଳୟ ର ଜଣେ କୃତି ଶିକ୍ଷାର୍ଥୀ ସହ ସେ ପ୍ରକୃତି ଆଧାର ରେ କବିତା ଲେଖା ରେ ରୁଚି ରଖନ୍ତି। ଏହା ସହିତ ସେ ସୃଜନଶୀଳ ଲିଖନ, ନାଚ, ଗୀତ ରେ ମଧ୍ୟ ତାଙ୍କର ଭଲ ଦକ୍ଷତା ରହିଛି। ଜଣେ ଆଦର୍ଶ ତଥା ଉତ୍ତମ ଶିକ୍ଷାର୍ଥୀ ସହ ସେ ଜଣେ ମେଧାବୀ, ମେଳାପୀ, ସ୍ନେହି, ମିଷ୍ଟଭାଷୀ ଓ ଶାନ୍ତ ସରଳ ପ୍ରକୃତି ର ଛାତ୍ରୀ। ସୋରଡ଼ା ବ୍ଳକ ପଳାସପଲ୍ଲୀ ଗ୍ରାମର କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଅଶୋକ କୁମାର ଗୌଡ଼ ଙ୍କ ତତ୍ତ୍ଵାବଧାନରେ ସେ ସମସ୍ତ ଶିକ୍ଷାଦୀକ୍ଷା ଲାଭ କରିଛନ୍ତି। ନିଜର ପ୍ରିୟ ଗୁରୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପବିତ୍ର ଆଷାଢ଼ ମାସର ଗୁରୁ ପୂର୍ଣ୍ଣିମା ଅବସରରେ ପଳାସପଲ୍ଲୀ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷ ଚାରା ରୋପଣ କରିଛନ୍ତି। ଏଥି ସହିତ ପଳାସପଲ୍ଲୀ ଗ୍ରାମର ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋକ୍ତ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵର୍ଗତ କେଶବ ଗୌଡ଼ ଙ୍କ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ଚାରଣ ସଭା ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବର୍ଷ ବର୍ଷା ଋତୁରେ ନିଜେ ମ୍ୟାଟ୍ରିକ ପରୀକ୍ଷାରେ ରଖିଥିବା ୫୪୮ ମାର୍କ ସଂଖ୍ୟକ ବୃକ୍ଷ ଚାରା ବିଭିନ୍ନ ବିଦ୍ୟାଳୟ, ମନ୍ଦିର ପ୍ରାଙ୍ଗଣ, ମଶାଣି ଏବଂ ରାସ୍ତା କଡ ରେ ରୋପଣ କରିବା ପାଇଁ ସେ ମାନସିକ କରିଥିବା ପ୍ରକାଶ କରିଛନ୍ତି। ଏଥି ପାଇଁ ସବୁ ସ୍ତରରେ ତାଙ୍କୁ ସ୍ଵାଗତ ଓ ପ୍ରଶଂସା କରାଯାଉଛି।

ଆଜିର ଏହି ମହାନ୍ କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ପବିତ୍ର ବନମହୋତ୍ସବ ପାଳନ ଏବଂ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ କୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ସମ୍ମାନୀତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟ ର କଳା ଶିକ୍ଷକ ଶ୍ରୀ ଅଶୋକ କୁମାର ଗୌଡ଼, ଶିକ୍ଷକ ପ୍ରଦିପ କୁମାର ରାଉତ, ଶିକ୍ଷୟିତ୍ରୀ ରେଶମା ସ୍ଵାଇଁ, ସମାଜସେବୀ ପ୍ରଫୁଲ୍ଲ କୁମାର ଲେଙ୍କା, ବିଦ୍ୟାଳୟ ପରିଚାଳନା ସଭାପତି ସୁଦାମ ଚରଣ ଗୌଡ଼, ସଂପାଦକ ଅଶୋକ କୁମାର ସ୍ଵାଇଁ, ଗ୍ରାମ ସଭାପତି ଶ୍ରୀ ରାଜକିଶୋର ସ୍ଵାଇଁ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।