November 23, 2024

ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଆତ୍ମ ଚିନ୍ତନ

Share

ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଆତ୍ମ ଚିନ୍ତନ
ଓଁ
ବନ୍ଦେମାତରଂ,
“ଯୋଗ କର୍ମସ୍ତୁ କୌଶଳଂ ”
. ଭଗବଦ ଗୀତା
ଆନ୍ତର୍ଜାତୀକ ସ୍ତରରେ ଜୁନ 21 ତାରିଖକୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରିବା ଭାରତୀୟ ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ. ଭାରତୀୟ ସଂସ୍କୃତି ଓ ଚିକତ୍ସା୍ ବିଜ୍ଞାନ ସମଗ୍ର ପୃଥିବୀରେ ସ୍ୱୀକୃତି ପାଇଛି. ‘ଯୋଗ ’ଶବ୍ଦ ଆଜି ଦେଶ, କାଳ ଓ ଭାଷାତୀତ ହୋଇସାରିଛି. ସମଗ୍ର ବିଶ୍ୱରେ ଏହାର ପ୍ରସାର ଓ ପ୍ରଚାର ଆରମ୍ଭ ହୋଇଛି. ଏହା ଏକ ଧାର୍ମିକ ଵିଧି ବ୍ୟବସ୍ଥା ଭିତରେ ନରହି ସମାଜର ଦୈନନ୍ଦିନ ଜୀବନଶୈଳୀରେ ଏକ ଅଂଶ ହୋଇ ସାରିଛି. ଯୋଗାଭ୍ୟାସ ଶାରୀରିକ, ମାନସିକ, ପ୍ରାଣିକ ଓ ଆତ୍ମିକ ବିକାଶ ଏବଂ ପୂର୍ଣ୍ଣତା ପାଇଁ ପ୍ରୟୋଜନ. ଏହା ବ୍ୟକ୍ତିର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ସାମଗ୍ରିକ ଓ ସମ୍ୱନ୍ୱିତ ବିକାଶ କରାଏ ଏବଂ ଶରୀର ମଧ୍ୟରେ ଥିବା ଦୋଷ ତ୍ରୁଟିର ସୁଧାର ଆଣିଥାଏ. ପରିପାକ କ୍ରିୟା, ରକ୍ତ ସଂଚାଳନ, ଶ୍ୱାସକ୍ରିୟା ଏବଂ ସମସ୍ତ ନିଷ୍କାସନ ପ୍ରକ୍ରିୟା ଠିକ ଭାବରେ ହୋଇଥାଏ. ଶରୀରରେ ପ୍ରତ୍ୟେକ ଗ୍ରନ୍ଥିରୁ ବିଭିନ୍ନ ହରମୋନର ସୃଷ୍ଟି ନିୟନ୍ତ୍ରିତ ହୋଇଥାଏ. ତତସହିତ ସ୍ନାୟୁମଣ୍ଡଳ ଓ ଗ୍ରନ୍ଥି ସକଳ ସବଳ ହୋଇଥାନ୍ତି. ଏତଦବ୍ୟତୀତ ମନରେ ସ୍ଥିରତା, ଶାନ୍ତି ଓ ସମତା ବଜାୟ ରହେ.ମନ କ୍ରୋଧ, ବିରକ୍ତି ଓ ବିରାଗରୁ ମୁକ୍ତ ରହେ. କ୍ଲାନ୍ତି ଓ ବିଷର୍ଣ୍ଣତା ଦୂର କରେ. ଆତ୍ମ କର୍ତ୍ତୃତ୍ୱ ଓ ଆତ୍ମ ବିଶ୍ୱାସ ସୃଷ୍ଟି ହୋଇଥାଏ. ନିଶ୍ଚିତ ଭାବରେ ଆମେ କହିପାରିବାଯେ ଯଦି ଭାରତୀୟ ଦର୍ଶନ, ଧର୍ମ, ଜ୍ଞାନ, ବିଜ୍ଞାନ, ଆଧ୍ୟାତ୍ମ, ସଂସ୍କୃତି, ସଭ୍ୟତା, ପରା -ଅପରା ବିଦ୍ୟା ଆଦିକୁ ଗୋଟିଏ ଶବ୍ଦରେ କୁହାଯାଏ, ତାହାହେଲେ ସେହି ଶବ୍ଦଟି ହେଉଛି ଯୋଗ. ଉପନିଷଦରେ ଚାରି ପ୍ରକାର ଯୋଗର ବର୍ଣନା କରାଯାଇଛି. ଯଥା ମନ୍ତ୍ର ଯୋଗ, ଲୟ ଯୋଗ, ହଠ ଯୋଗ ଓ ରାଜ ଯୋଗ. ଗୀତାରେ କର୍ମ ଯୋଗ, ସାଂଖ୍ୟ ଯୋଗ, ଭକ୍ତି ଯୋଗ, ଧ୍ୟାନ ଯୋଗ ଓ ସନ୍ୟାସ ଯୋଗ ଉପରେ ବିସ୍ତୃତ ଆଲୋଚନା ହୋଇଛି. ପଞ୍ଚମ ଅଧ୍ୟାୟରେ ସନ୍ୟାସ ଯୋଗ ଏବଂ କର୍ମ ଯୋଗ ମଧ୍ୟରେ କର୍ମ ଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି. ମହର୍ଷି ପତଞ୍ଜଳି ଯୋଗ ମଧ୍ୟରେ ଅଷ୍ଟାଙ୍ଗ ଯୋଗକୁ ମୁଖ୍ୟରୂପେ ବିବେଚନା କରିଛନ୍ତି. ଯଥା ଯମ, ନିୟମ ,ଆସନ ,ପ୍ରାଣାୟାମ ,ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି.
ଯମ -ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମହଚର୍ଯ୍ୟ ଓ ଅପରିଗ୍ରହ
ନିୟମ – ଶୌଚ, ସନ୍ତୋଷ, ତପସ୍ୟା, ସ୍ୱାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ
ଆସନ -ଯୋଗ ଶାସ୍ତ୍ରାନୁମୋଦିତ ବିଭିନ୍ନ ଆସନ ଦ୍ୱାରା ଶରୀର ଓ ମନର ଶୁଦ୍ଧତା ଓ ସ୍ଥିରତା
ପ୍ରାଣାୟାମ – ଯୋଗ ଶାସ୍ତ୍ରାନୁମୋଦିତ ବିଭିନ୍ନ ପ୍ରଣାଳୀରେ ଶ୍ୱାସ ପ୍ରଶ୍ୱାସର ନିୟନ୍ତ୍ରଣ
ପ୍ରତ୍ୟାହାର – ଇନ୍ଦ୍ରିୟ ଭୋଗ ଲାଳସାରୁ ନିବୃତ୍ତ ରହିବା
ଧାରଣା – ଚିତରେ ନିରବଛିନ୍ନ ଭାବରେ ଈଶ୍ୱର ବିଶ୍ୱାସ
ଧ୍ୟାନ – ଏକାଗ୍ରଚିତ୍ତରେ ପ୍ରଭୁ ଚିନ୍ତନ
ସମାଧି – ଧ୍ୟେୟ ବସ୍ତୁରେ ଲୀନ ହେବା
. ପୃଷ୍ଠଭୂମି
ହିନ୍ଦୁଧର୍ମରେ ଭଗବାନ ଶିବଙ୍କୁ ଆଦ୍ୟଯୋଗୀ ବୋଲି କୁହାଯାଏ. ଋଷି ହିରଣ୍ୟଗର୍ଭ ଯୋଗର ପ୍ରବକ୍ତା ବୋଲି କେତେକ ଗ୍ରନ୍ଥ ଉଲ୍ଲେଖ କରନ୍ତି. ଯୋଗ ଶବ୍ଦର ପ୍ରଥମ ପ୍ରୟୋଗ ଋଗବେଦରେ ଉପଲବ୍ଧ ହୁଏ. ଭଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ ସୂର୍ଯ୍ୟନାରାୟଣଙ୍କୁ ଯୋଗ ବିଷୟରେ ଜ୍ଞାନ ଦେଇଥିଲେ ବୋଲି କୁହାଯାଏ. ମହର୍ଷି ପତଂଜଳିଙ୍କ ଦ୍ୱାରା ଯୋଗ ସୂତ୍ର ସମ୍ବଳିତ ଗ୍ରନ୍ଥ ରଚିତ ହୋଇଅଛି. ଷଡ଼ଦର୍ଶନରେ ଯୋଗ ଦର୍ଶନ ଏକ ଗୁରୁତ୍ୱପୂର୍ଣ ଦର୍ଶନ ଅଟେ. କିନ୍ତୁ ଏହା ସତ୍ୟଯେ ଭାରତୀୟ ଋଷି ପରମ୍ପରାର ମାନବ ଜାତି ପାଇଁ ଏହା ଏକ ଶ୍ରେଷ୍ଠ ଅବଦାନ ଅଟେ. ବର୍ତ୍ତମାନ ସମୟରେ ଯୋଗକୁ ବିଶ୍ୱ ଦରବାରରେ ପ୍ରଚାରିତ ଓ ପ୍ରତିସ୍ଥାପିତ କରିବାର ଶ୍ରେୟ ସ୍ୱାମୀ ରାମଦେବଜୀଙ୍କୁ ଦିଆଯାଏ. ଯୋଗକୁ ଜୀବନଶୈଳୀ ଓ ଚିକିତ୍ସା୍ ପଦ୍ଧତି ମାଧ୍ୟମରେ ପ୍ରତି ଘରେ ଘରେ ପହଞ୍ଚାଇବା ପାଇଁ ତାଙ୍କର ଉଦ୍ୟମ ଅନସ୍ବୀକାର୍ଯ୍ୟ.
“ଯୋଗାତ ସଂଜାୟତେ ଜ୍ଞାନଂ
ଯୋଗୋ ମୟେ କଚିତ୍ତତା. “
ସତ୍ୟବାଦୀ ଦାଶ, ସଭାପତି
ଭାରତ ବିକାଶ ପରିଷଦ, ଓଡିଶା ପୂର୍ଵ ପ୍ରାନ୍ତ