September 29, 2024

ପ୍ରମିଳାଙ୍କ ପରେ ଏବେ ସୁରମା ହେଲେ ବିଧାନସଭା ବାଚସ୍ପତି

Share

 

ଭୁବନେଶ୍ବର: (ବ୍ୟୁରୋ ଚିପ୍ ଅଜିତ୍ ଦାଶଙ୍କ ରିପୋର୍ଟ) ପ୍ରମିଳା ମଲ୍ଲିକଙ୍କ ପରେ ଓଡ଼ିଶାର ସପ୍ତଦଶ ବିଧାନସଭାରେ ପୁଣି ଜଣେ ମହିଳାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ରଣପୁର ବିଧାୟିକା ସୁରମା ପାଢ଼ୀ ଗୁରୁବାର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ସୁରମା ପାଢ଼ୀ ୧୯୬୦ ମସିହା ଡିସେମ୍ବର ୨୯ରେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମଏ କରିଥିବା ସୁରମା ଆଇନଜୀବୀ ଭାବେ ନିଜର ପେଶା ଆରମ୍ଭ କରିଥିଲେ।

ରାଜ୍ୟ ବିଜେପିର ସେ ହେଉଛନ୍ତି ଆଗଧାଡ଼ିର ବିଜେପି ନେତ୍ରୀ। ଜାତୀୟସ୍ତରରେ ବି ତାଙ୍କର ସୁନାମ ରହିଛି।୧୯୮୮ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ।୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ସୁରମା ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହେବାର ସୌଭାଗ୍ୟ ପାଇଥିଲେ। ଜାତୀୟ କାର୍ଯ୍ୟକାରୀ କମିଟିରେ ସେ ସ୍ଥାନ ପାଇବା ସହ ୨୦୦୪ରେ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ।୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ସମବାୟ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ।

୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ରଣପୁରରୁ ପରାସ୍ତ ହୋଇଥିଲେ। ତେବେ ଲୋକଙ୍କ ସହ ଜଡ଼ିତ ରହିଥିବାରୁ ଏଥର ସେ ବାଜିମାତ୍‌ କରିଛନ୍ତି। ଚଳିତ ନିର୍ବାଚନରେ ପ୍ରଥମେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ତେବେ ସୁରମାଙ୍କ ସାଂଗଠନିକ ଦକ୍ଷତାକୁ ଅନୁଶୀଳନ କରିବା ପରେ ତାଙ୍କୁ ଦଳ ପୁଣି ଟିକେଟ ଦେଇଥିଲା ।