ବେଆଇନ୍ ନିର୍ମାଣ ଓ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି କୋର୍ଟ ଚାଲାଣ ହେଲେ ଶିକ୍ଷକ ଓ ପୁତ୍ର…
ଗୋପ ଶିକ୍ଷା ମଣ୍ଡଳ ଅଧୀନ ଯୁଣେଇ କ୍ଲଷ୍ଟରରେ ସିଆରସିସି ଭାବେ କାର୍ଯ୍ଯ କରୁଥିବା ଜଣେ ଶିକ୍ଷକ କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ରାସ୍ତାରେ ବେଆଇନ୍ ପାଇଖାନା ଟାଙ୍କି ନିର୍ମାଣ କରିବା ଓ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଥାନାରେ ଦୁଇ ଦିନ ଅଟକ ପରେ ରବିବାର ଅପରାହ୍ନରେ କୋଣାର୍କ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୁକ୍ତ ଶିକ୍ଷକ ଜଣଙ୍କ ହେଉଛନ୍ତି ରବୀନ୍ଦ୍ରନାଥ ବାହୀନିପତି। ସୁଚନା ଅନୁଯାୟୀ କୋଣାର୍କ ଏନଏସି ଅଧୀନ ମାର୍କେଟ କମ୍ପ୍ଲେକ୍ସ ରେ ପେଭର ବ୍ଳକ୍ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ସଂପୃକ୍ତ ଶିକ୍ଷକ ଜଣକ ବେଆଇନ୍ ଭାବେ ରାସ୍ତା ଜବରଦଖଲ କରି ପାଇଖାନା ଟାଙ୍କି ନିର୍ମାଣ କରୁଥିଲେ। ପ୍ରଶାସନ ବାରଣ ସତ୍ତ୍ୱେ ନେତା ମନ୍ତ୍ରୀ ଓ ଅଧିକାରୀଙ୍କ ବାହୁ ବଳରେ ନିଜକୁ ପ୍ରଭାବଶାଳୀ ଭାବି ଜବରଦସ୍ତ ନିର୍ମାଣ କାର୍ଯ୍ୟ କରୁଥିଲେ। ଏନଏସି ଦକ୍ଷ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀମତି ଶ୍ୱେତପଦ୍ମା ଧଳ ବାରଣ କରିବା ସତ୍ତ୍ୱେ ମଧ୍ଯ କର୍ଣ୍ଣପାତ କଲେ ନାହିଁ। ଆଇନ ଅନୁଯାୟୀ ପ୍ରଶାସନ ପୋଲିସ ଉପସ୍ଥିତିରେ ଜେସିବ ମେସିନ ଲଗାଇ ବେଆଇନ୍ ନିର୍ମାଣ ଭାଙ୍ଗିବାକୁ ପ୍ରସ୍ତୁତ ବେଳେ ଶନିବାର ପୂର୍ବାହ୍ନରେ ଘଟଣା ସ୍ଥଳରେ ଶିକ୍ଷକ ଶ୍ରୀଯୁକ୍ତ ବାହୀନିପତି ନିର୍ବାହୀ ଅଧିକାରୀଙ୍କୁ ଧମକପୂର୍ଣ୍ଣ କଥା କହିବା ସହିତ ଅଶାଳୀନ ମନ୍ତବ୍ୟ ପ୍ରଦାନ କରି ପ୍ରଶାସନକୁ ଅଟକାଇ ଥିଲେ। ତାଙ୍କ ସହ ତାଙ୍କ ପୁତ୍ର ଓ ଭଣଜା ମଧ୍ଯ ପ୍ରଶାସନକୁ ନାଲି ଆଖି ଦେଖାଇ ଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଧସ୍ତାଧସ୍ତି ହୋଇଥିଲା। ଯାହା ଫଳରେ ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳ ମଧ୍ୟ ପଡି ଯାଇ ଆଘାତ ପାଇଥିଲେ। ଘଟଣା ସ୍ଥଳରୁ ପୋଲିସ ଉଭୟ ଶିକ୍ଷକ ଓ ତାଙ୍କ ପୁତ୍ରକୁ ଉଠାଇ ନେଇ ଥାନାରେ ଦୁଇ ଦିନ ଅଟକ ରଖିଥିଲେ। ଅଧିକାରୀ ଶ୍ରୀମତୀ ଧଳଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ୧୮୬୦ ଆଇପିସି ଧାରା ଅନୁସାରେ ୨୯୪, ୩୨୩, ୩୪, ୩୪୧, ୩୫୩ ଓ ୩୫୪ ଦଫାରେ ୫୨/୨୦୨୪ ଏକ ମାମଲା ରୁଜ୍ଜୁ କରି ରବିବାର ଅପରାହ୍ନରେ ଶିକ୍ଷକ ଓ ତାଙ୍କ ପୁତ୍ରଙ୍କୁ କୋର୍ଟ ଚାଲାଣ କରିଥିଲା। ଏପରି ଏକ ସମ୍ବେଦନଶୀଳ ଓ ନିନ୍ଦନୀୟ ଘଟଣା କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ସିଆରସିସି ତଥା ଶିକ୍ଷକ ହୋଇ ସରକାରୀ ଜମି ଜବରଦଖଲ, ବେଆଇନ୍ ନିର୍ମାଣ କରିବା ସହ ଜନ ସାଧାରଣଙ୍କ ଆଗରେ କାର୍ଯ୍ୟ ବାରରେ ଜଣେ ସ୍ୱଚ୍ଛ ଓ ଦକ୍ଷ ନାରୀ ପ୍ରଶାସକ ତଥା ନିର୍ବାହୀ ଅଧିକାରୀଙ୍କ ସହ କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଓ ଦୁଇ ଦିନ ଥାନାରେ ଅଟକ ରହି କୋର୍ଟ ଚାଲାଣ ହୋଇଥିବା ଶିକ୍ଷକଙ୍କ ବିରୁଦ୍ଧରେ ଶିକ୍ଷାବିଭାଗ, ଶିକ୍ଷା ଅଧିକାରୀ ଓ ଜିଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୋପ ଓ କୋଣାର୍କ ଅଞ୍ଚଳର ଜନସାଧାରଣରେ ଆଲୋଚନା ହେଉଛି।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)