November 22, 2024

ଅନ୍ତର୍ଦ୍ଧାନ ହୋଇଯାଇଥିବା ସମ୍ବଲପୁର ବିଧାୟକ ସାତୋଟି ନିର୍ବାଚନ ମଣ୍ଡଳୀ ତଥା ଦେଢ ଲକ୍ଷ ଭୋଟ୍ ବ୍ୟବଧାନରେ ଲୋକ ସଭା ଆସନ ବିଜେପି ଦଳ ଜିତିବା କହିବା ହାସ୍ୟାସ୍ପଦ…

Share

୨୦୨୯ ସାଧାରଣ ନିର୍ବାଚନ ପରେ ଅନ୍ତର୍ଦ୍ଧାନ ହୋଇଯାଇଥିବା ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସାଧାରଣ ନିର୍ବାଚନକୁ ଆଉ ଦୁଇ ମାସ ବାକି ଥିବା ବେଳେ ପୁଣି କ୍ଷମତା ଲୋଭରେ ହଠାତ୍ ଦୃଷ୍ଟି ଗୋଚର ହୋଇଛନ୍ତି । ସବୁ ବେଳେ ବିବାଦରେ ରହିବାକୁ ପସନ୍ଦ କରୁଥିବା ଓ ସମ୍ବଲପୁର ସହରରେ କରୋନାର ବିଭିଷିକା ତଥା ଅନ୍ୟ କଷ୍ଟ ସମୟରେ ଦୀର୍ଘ ସାଢେ ଚାରି ବର୍ଷ ଧରି ଉଭାନ୍ ଥିବା କ୍ଷମତା ପୀପାସୁ ବିଧାୟକ ମହାଶୟ ହଠାତ୍ ଆସି ସାତୋଟି ନିର୍ବାଚନ ମଣ୍ଡଳୀ ଓ ସମ୍ବଲପୁର ଲୋକ ସଭା ଆସନରେ ବିଜୟ ସୁନିଶ୍ଚିତ କହିବା ହାସ୍ୟାସ୍ପଦ ବିଷୟ । ବିଧାୟକଙ୍କ ଯଦି ସତ୍ ସାହସ ଅଛି, ନିଜେ ସମ୍ବଲପୁରରେ ଚାରି ଥର ବିଧାୟକ ହୋଇଥିବା ତଥା ଗତଥର ସମ୍ବଲପୁର ସାଂସଦ ବିଜେପି ଦଳର ହୋଇଥିବା ବେଳେ ସମ୍ବଲପୁରରେ କଣ କାମ କରିଛନ୍ତି ତାର ହିସାବ ପ୍ରଥମେ ଦିଅନ୍ତୁ ତା ପରେ ବାହାସ୍ପୋଟ ମାରିବେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଲୋକସଭା ପ୍ରାର୍ଥୀ କରିବା ସମ୍ବଲପୁର ସହର ପାଇଁ ଗର୍ବ ଓ ଗୌରବର ବିଷୟ । ଶ୍ରୀ ଦାସଙ୍କ ନେତୃତ୍ୱରେ ସମ୍ବଲପୁରର ବିକାଶ ଆହୁରି ଶାଣିତ ହେବା ସହ ସେ ଓଡ଼ିଶାର କଥା ଦିଲ୍ଲୀ ଦରବାରରେ ବହୁ ପ୍ରଭାବୀ ଢଙ୍ଗରେ ରଖିବେ । ମୁଖ୍ୟମନ୍ତ୍ରୀ ମାଁ ସମଲେଶ୍ବରୀଙ୍କ ସୁଦୃଶ୍ୟ ମନ୍ଦିର, ମହାନଦୀରେ ଦୁଇଟି ପୋଲ, ସମ୍ବଲପୁର ଫ୍ଲାଇଓଭର, ବୁର୍ଲା ବୈଷୟିକ ମହାବିଦ୍ୟାଳୟ, ବୁର୍ଲା ମେଡିକାଲ, ବହୁ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରର ସାମଗ୍ରିକ ବିକାଶ କାର୍ଯ୍ୟ ତଥା ସମ୍ବଲପୁର ସହରରେ ସ୍କୁଲ, ମହାବିଦ୍ୟାଳୟ, ଡାକ୍ତରଖାନାରେ ରୂପାନ୍ତରଣ କାମ କରିଥିବା ବେଳେ ସମ୍ବଲପୁରର ଲୋକ ବୋକା ନୁହନ୍ତି, ଏଥର ସବୁ ବେଳେ ଲୋକଙ୍କ ସହ ରହୁଥିବା ବିଜୁ ଜନତା ଦଳକୁ ନିଶ୍ଚୟ ନିଜର ଭୋଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଭଲ ପାଇବା ଦେବେ ଏଥିରେ ସନ୍ଦେହର ଅବକାଶ ନାହିଁ ।
୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ତଥା ବିଜେପି ଦଳ ବର୍ଷକୁ ଦୁଇ କୋଟି ଚାକିରି, ବିଦେଶରୁ କଳାଧନ, ଡଲାରକୁ ଟଙ୍କା ସହ ସମାନ କରିବା, ଆଧାର କାର୍ଡ ବନ୍ଦ କରିବା, ଲୋକଙ୍କ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କାର ଭଳି ଲୋଭନୀୟ ନିର୍ବାଚନୀ ଇସ୍ତାହାର ଦେଇଥିଲେ, ପରେ ଏହାର ସମ୍ପୂର୍ଣ୍ଣ ଓଲଟା କରିଥିଲେ । ବିଜେପି ଦଳ କ୍ଷମତାକୁ ଆସିବା ପରଠାରୁ ରାଷ୍ଟ୍ରାୟତ ସରକାରୀ ଉଦ୍ୟୋଗ, ରେଳ ବିଭାଗ, ବିମାନ ବନ୍ଦର ଗୁଡିକୁ ଘରୋଇକରଣ ତଥା ବିମୁଦ୍ରୀକରଣ, ଚାଷୀ ବିରୋଧୀ ବିଲ୍ ଭଳି ବହୁ ଜନ ବିରୋଧି ପଦକ୍ଷେପ ନେଇଛନ୍ତି । ସମ୍ବଲପୁରର ଦୁଃଖ ପାଲଟି ଥିବା ୫୫ ନମ୍ବର ଜାତୀୟ ରାଜପଥରେ ପ୍ରତି ଦିନ ବହୁ ଜୀବନ ହାନି ଘଟୁ ଥିବା ବେଳେ ଦାୟିତ୍ୱରେ ଥିବା ମନ୍ତ୍ରୀ ନୀତିନ ଗଡକରୀ ତଥା କେନ୍ଦ୍ର ବିଜେପି ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ବର୍ତ୍ତମାନର ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ରୋଷେଇ ଗ୍ୟାସ ଦରକୁ ୪୦୦ ଟଙ୍କାରୁ ୧୧୦୦ ଟଙ୍କା ଏବଂ ପ୍ରତ୍ୟେକ ଦିନ ପେଟ୍ରୋଲ-ଡିଜେଲ ଦର ବଢେଇ ୭୦ ଟଙ୍କାରୁ ୧୦୦ ଟଙ୍କାରୁ ଉର୍ଦ୍ଧ୍ବକୁ ପହଞ୍ଚାଇବାର ବିରଳ ରେକର୍ଡର ଅଧିକାରୀ ଅଟନ୍ତି, ଏଣୁ ତାଙ୍କୁ ନିଶ୍ଚିତ ଭାବେ ସମ୍ବଲପୁର ବାସୀ ପ୍ରତ୍ୟାଖ୍ୟାନ କରିବେ ଏଥିରେ କୌଣସି ଦ୍ବନ୍ଦ ନାହିଁ ବୋଲି ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।