୧)କୁମାର କବି ଅରକ୍ଷିତ ପ୍ରଧାନ ଥିଲେ ଓଡ଼ିଶାର ବରପୁତ୍ର, ବାଣୀ ପୁତ୍ର ଓ ବିରଳ ସାରସ୍ଵତ ବ୍ୟକ୍ତିତ୍ୱ ୨) *ବାଣୀପୁତ୍ର କୁମାର କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପାଇଁ ୮୨ ତମ ଜୟନ୍ତୀ ମହୋତ୍ସବରେ ଦାବି -ସ୍ୱାକ୍ଷର ସଂଗ୍ରହ ଅଭିଯାନ ତେଜିଲା
୧)କୁମାର କବି ଅରକ୍ଷିତ ପ୍ରଧାନ ଥିଲେ ଓଡ଼ିଶାର ବରପୁତ୍ର, ବାଣୀ ପୁତ୍ର ଓ ବିରଳ ସାରସ୍ଵତ ବ୍ୟକ୍ତିତ୍ୱ ୨) *ବାଣୀପୁତ୍ର କୁମାର କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପାଇଁ ୮୨ ତମ ଜୟନ୍ତୀ ମହୋତ୍ସବରେ ଦାବି -ସ୍ୱାକ୍ଷର ସଂଗ୍ରହ ଅଭିଯାନ ତେଜିଲା।*ବ୍ରହ୍ମଗିରି _୧୪/୨/୨୪- ଓଡ଼ିଶାର ବରପୁତ୍ର,ବାଣୀପୁତ୍ର, ବିଶିଷ୍ଟ କବି ଓ ସାରସ୍ଵତ ସାଧକ କୁମାର କବି ଅରକ୍ଷିତ ପ୍ରଧାନ ଥିଲେ ଅସାଧାରଣ ଓ ବିରଳ ପ୍ରତିଭାର ଅଧିକାରୀ। ଆନୁଷ୍ଠାନିକ ଶିକ୍ଷା ନଥାଇ ସେ ରଚନା କରିଥିଲେ ୧୮ ଖଣ୍ଡ କାଳଜୟୀ ପୁସ୍ତକ। ସାହିତ୍ୟର ସମସ୍ତ ବିଭାଗରେ ତାଙ୍କର ଲେଖନୀ ଚାଳନା ତାଙ୍କୁ ଜଣେ ବହୁ ପ୍ରତିଭାଦୀପ୍ତ ସାରସ୍ଵତ ସାଧକର ମାନ୍ୟତା ପ୍ରଦାନ କରିଥିଲା। ଶ୍ରୀଜଗନ୍ନାଥ ସଂସ୍କୃତିର ସେ ଥିଲେ ବିଶିଷ୍ଟ ପ୍ରଚାରକ।ରାମାୟଣ, ମହାଭାରତ,ବେଦ,ଉପନିଷଦ ସମେତ ବିଭିନ୍ନ ଧର୍ମର ଶାସ୍ତ୍ର ସମ୍ପର୍କରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା।ସେ ଏକମାତ୍ର ଓଡ଼ିଆ ଯିଏ ଓଡ଼ିଶା ଓ ଆସାମ ମଧ୍ୟରେ ଥିଲେ ସାଂସ୍କୃତିକ ଦୂତ ଏବଂ ଆସାମ ସରକାରଙ୍କ ଆଜୀବନ ରାଜ୍ୟ ଅତିଥି। ତାଙ୍କ ସାହିତ୍ୟର ହଜାର ହଜାର ପାଠକ ସାରା ଓଡ଼ିଶାରେ ଅଛନ୍ତି। ତାଙ୍କ ସ୍ମୃତିରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗ ରେ ପ୍ରତି ବର୍ଷ କୁମାର କବି ଫାଉଣ୍ଡେସନ ତରଫରୁ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ ପାଳନ କରାଯାଉଛି।ଏହି ମହାନ ବ୍ୟକ୍ତିତ୍ବ ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଆଜି ତାଙ୍କ ୮୨ ତମ ଜୟନ୍ତୀ ମହୋତ୍ସବ ଅବସରରେ ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି।ଆଜି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋଖରା ଠାରେ ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପ ସଭାଗୃହ ରେ ଜୟନ୍ତୀ ମହୋତ୍ସବକୁ ଉଦ୍ଘାଟନ କରିଥିଲେ ତରୁଣ କବି ଦାମୋଦର ପରିଡ଼ା। କୁମାର କବିଙ୍କ ସାହିତ୍ୟ କୃତିକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ବକ୍ତା ତତ୍ତ୍ଵ କବି ବିଭୁଦାସ ଭିକାରୀ ଚରଣ ଜେନା କହିଥିଲେ ଯେ କୁମାର କବି ବିରଳ ସାରସ୍ଵତ ପ୍ରତିଭାର ଅଧିକାରୀ ଥିବାରୁ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବା ଉଚିତ୍। ଅନ୍ୟମାନଙ୍କ ମଧ୍ୟରେ ଗବେଷକ ନୀଳମଣି ସୁଆର, ଭଜନ ତୀର୍ଥ ଭାଗିରଥି ଦଳାଇ, ଅଧ୍ୟାପକ କାଶୀନାଥ ନାୟକ,କବି ବିହାରୀ ବନ୍ଧୁ ପଲାଇ,କବି ସୁଶାନ୍ତ କୁମାର ଜେନା, ସମାଜସେବୀ ରଞ୍ଜନ କୁମାର ଦଳାଇ,ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନା, ସମାଜସେବୀ ଦେବଦତ୍ତ ମିଶ୍ର,ଶିକ୍ଷକ ଚରଣ ବେହେରା, ପ୍ରହ୍ଲାଦ ପରିଡ଼ା, ପାଲା ଗାୟକ ରବିନାରାୟଣ ପ୍ରଧାନ, ଶିକ୍ଷକ ବ୍ରହ୍ମଚାରୀ ପଲାଇ,କବି ସତ୍ୟପ୍ରିୟ ପ୍ରଧାନ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ମହୋତ୍ସବ ରେ କୁମାର କବି ଫାଉଣ୍ଡେସନ ର ସଭାପତି ଅଧ୍ୟାପକ ବସନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଏବଂ ସମ୍ପାଦକ ଅଧିବକ୍ତା ଦିଗମ୍ବର ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ପ୍ରାରମ୍ଭରେ ବିଶିଷ୍ଟ ସାହିତ୍ୟିକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି ସ୍ୱର୍ଗତ ସାତକଡି ହୋତାଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଫାଉଣ୍ଡେସନ କୋଷାଧ୍ୟକ୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।କୁମାର କବିଙ୍କ ସୁପୁତ୍ର ଆଲୋକ କୁମାର ପ୍ରଧାନ ମହୋତ୍ସବ ର ସଂଯୋଜନା କରିଥିଲେ।ସଭା ପୂର୍ବରୁ କୁମାର କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ ସ୍ୱାକ୍ଷର ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ଏହାକୁ ବିଭିନ୍ନ ପର୍ଯ୍ୟାୟରେ ପ୍ରସାର ନିମନ୍ତେ ନିଷ୍ପତ୍ତି ନିଆଯାଇଛି।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)