September 21, 2024

ଜିଆରଏସଙ୍କୁ ଛୁରୀ ଭୂଷି ହତ୍ଯା , ଅଭିଯୁକ୍ତ ଫେରାର , ଅଞ୍ଚଳରେ ଚାଞ୍ଚଲ୍ଯ…

Share


ବୁଗୁଡ଼ା :  ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କଳମ୍ବ-ଅନ୍ତରପଡା ରାସ୍ତାରେ ଆଜି ସକାଳେ ଜନୈକ ଯୁବକଙ୍କ ଛୁରା ମାଡରେ ଜିଆରଏସ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ପୂର୍ବାହ୍ନରେ ଜିଆରଏସ ସୁକାନ୍ତ(୩୬) ବାଇକ୍ ଯୋଗେ କଳମ୍ବ-ଅନ୍ତରପଡା ରାସ୍ତା ଦେଇ ବୁଗୁଡ଼ା ଆସୁଥିଲା ବେଳେ ଦଶିପୁର ଗ୍ରାମର ରାଘବ ସ୍ବାଇଁ(୨୭) ତାଙ୍କୁ ବାଟରେ ଅଟକାଇ ଛୁରୀରେ ଆକ୍ରମଣ କରିଥିଲା । ଏହା ଦେଖି ଆଖପାଖରେ ଥିବା ଲୋକେ ପାଟି କରିବାରୁ ଆକ୍ରମଣକାରୀ ରାଘବ ସେଠାରୁ ଚାଲିଯାଇଥିଲା । ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁକାନ୍ତଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ବାରମ୍ବାର ଛୁରା ମାଡରେ ସୁକାନ୍ତଙ୍କ ଡାହାଣ ପଟ ଜଙ୍ଘରେ ୫ଟି, ବାମ ପଟ ଗୋଡରେ ୩ଟି ଓ ବାମ ହାତରେ ଗୋଟିଏ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ପୋଲସରା ପୂର୍ବରୁ ପାଣି ଟିକିଏ ମାଗି ସେ ପିଇଲା ପରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏ ନେଇ ସୁକାନ୍ତଙ୍କ ମାଆ ପ୍ରମିଳା ପାଣିଗ୍ରାହୀ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ୯୫୨/୨୩ ରେ ଏକ ହତ୍ଯା ମାମଲା ରୁଜୁ କରିବା ସହ ଫେରାର ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯୋଗ୍ୟ ଯେ , ବୁଗୁଡ଼ା ବ୍ଲକର ଏ.କରଡ଼ାବାଡ଼ି ଓ ସଙ୍କୁରୁ ପଞ୍ଚାୟତରେ ଜିଆରଏସ ଭାବେ ସୁକାନ୍ତ କାର୍ଯ୍ଯରତ ଥିବାବେଳେ ଆଜି ତାଙ୍କର ମୃତ୍ୟୁରେ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଭିଯୁକ୍ତ ରାଘବ କଳମ୍ବ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଗନ୍ତାୟତ ସ୍ବାଇଁଙ୍କ ପୁଅ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ବିଡିଓ ସନ୍ତୋଷ କୁମାର କାର୍ଯ୍ୟରତ ବ୍ଲକ୍ କର୍ମଚାରୀଙ୍କ ନିର୍ମମ ହତ୍ଯାକାଣ୍ଡର ତଦନ୍ତ କରିବା ପାଇଁ ବୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି ।