ମଦମୁକ୍ତ ଓଡ଼ିଶା ଲକ୍ଷରେ ବେଗୁନିଆ ବଜାରରେ ପ୍ରଭାତଫେରି।
ମଦମୁକ୍ତ ଓଡ଼ିଶା ଲକ୍ଷରେ ବେଗୁନିଆ ବଜାରରେ ପ୍ରଭାତଫେରି।
ବେଗୁନିଆ ,୧୦/୦୯ (ଉପାନ୍ତ ଓଡିଶା):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବଜାର ଠାରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ସରକାରଙ୍କ ମଦ ନୀତି ଯୋଗୁଁ ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଓ ସରକାର ଏବଂ ରାଜନେତାମାନେ କିପରି ଏହି ଗମ୍ଭୀର ସମସ୍ୟାକୁ ଅଣଦେଖା କରିଚାଲିଛନ୍ତି ତାହାକୁ ସଙ୍ଗଠନର ସଦସ୍ୟମାନେ ପ୍ଲା-କାର୍ଡ଼ ଓ ଗୀତ ମାଧ୍ୟମରେ ଗାଇ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଚାରପତ୍ର ପ୍ରଦାନ କରିଥିଲେ । ମଦ ଭଳି ଏକ ଅଭଦ୍ର, ଅସଭ୍ୟ ଜିନିଷକୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରି ଓଡ଼ିଶାର କୋଣ ଅନୁକୋଣରେ ୪ ହଜାରରୁ ଅଧିକ ଦୋକାନ ଖୋଲିଛନ୍ତି । ମଦରୁ ବହୁତ ରାଜସ୍ୱ ମିଳୁଥିବା କଥା ସମ୍ପୂର୍ଣ୍ଣ ମିଛ । ରାଜ୍ୟ ସରକାରଙ୍କ ମୋଟ୍ ବଜେଟର ମାତ୍ର ୨.୫ ରୁ ୩ ପ୍ରତିଶତ ଅବକାରୀ ବିଭାଗରୁ ମିଳିଥାଏ । ଗୁଜୁରାଟ, ବିହାର ଭଳି ଓଡ଼ିଶା ସରକାରଙ୍କୁ ଏହି ଅର୍ଥ ନମିଳିଲେ ମଧ୍ୟ ରାଜ୍ୟ ସହଜରେ ଚଳିପାରିବ । କିନ୍ତୁ ମଦ ମିଳୁଥିବା କାରଣରୁ ରାଜ୍ୟରେ ଗାଡ଼ି ଦୁର୍ଘଟଣା,ଘରୋଇ ହିଂସା, ନାରୀ ନିର୍ଯ୍ୟାତନା, ହତ୍ୟା, ବଳାତ୍କାର, ଗୋଷ୍ଠୀ ସଂଘର୍ଷ ପରି ଘଟଣା ଦିନକୁ ଦିନ ବଢି ଚାଲିଛି । ଯାହାଫଳରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ରଜସ୍ୱ ହରାଉଛନ୍ତି । ତେଣୁ ରାଜସ୍ୱ ପାଇଁ ନୁହଁ ବରଂ ରାଜ୍ୟରେ କୃଷି, ରୋଜଗାର, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ମୌଳିକ ସମସ୍ୟା ଉପରୁ ଜନସାଧାରଣଙ୍କ ନଜର ହଟାଇବା ଏବଂ ଯୁବଗୋଷ୍ଠୀଙ୍କୁ ନିଶା ଦ୍ୱାରା ମାନସିକ ପଙ୍ଗୁ କରିବା ସହ ସରକାରଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାର କ୍ଷମତା ହରାଇବା ଭଳି ଷଡ଼ଯନ୍ତ୍ର କରି ରାଜ୍ୟ ସରକାର ମଦ ବିକ୍ରି କରୁଥିବା କଥା ଯୁବାବାହିନୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲାଟେନ୍ଦୁ ପାତ୍ର ପ୍ରକାଶ କରିଛନ୍ତି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମଦ ବିକ୍ରି କରିବା ଏକ ଜନମଙ୍ଗଳକାରୀ ସରକାରଙ୍କ ଲକ୍ଷଣ ନୁହେଁ, କିନ୍ତୁ ଓଡ଼ିଶାର ଜନସାଧାରଣଙ୍କ ଅନିଚ୍ଛା ସତ୍ତ୍ୱେ ଏ ଅହଙ୍କାରୀ ସରକାର ଅଧିକରୁ ଅଧିକ ମଦ ଦୋକାନକୁ ସ୍ୱକୃତି ପ୍ରଦାନ କରୁଛନ୍ତି । ତେଣୁ ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୁଦ୍ଧରେ ଆଜିର ଯୁବଗୋଷ୍ଠୀ ସ୍ୱର ଉତ୍ତୋଳନ କରିବାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଯୁବକମାନଙ୍କୁ ଅହ୍ୱାନ ଦେଇଛନ୍ତି । ଯେଉଁ ସରକାରର ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶାର ଗାଁ ଗହଳି, ସହର ବଜାରରେ ୪ ହଜାରରୁ ଅଧିକ ମଦ ଦୋକାନ ଖୋଲିଛି , ସେହି ସରକାର ହିଁ ପ୍ରବଳ ଜନମତର ଚାପରେ ସେଗୁଡ଼ିକୁ ବନ୍ଦ କରିପାରିବ । ଏଥିପାଇଁ ଆବଶ୍ୟକ ଜନଜାଗରଣର ସୂତ୍ରଧର ଓଡ଼ିଶାର ସ୍ୱାଭିମାନୀ ଯୁବକଟିଏ ହିଁ ହୋଇପାରେ । ଏଥିପାଇଁ ସେହି ଯୁବକମାନଙ୍କୁ ସମାଜ କଲ୍ୟାଣର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଯୋଡ଼ିବା ନିମିତ୍ତ ମଦମୁକ୍ତି ଯୁବବାହିନୀ ଓଡ଼ିଶା ବିଭିନ୍ନ ବ୍ଲକ୍ ରେ “ପ୍ରଭାତଫେରି” କାର୍ଯ୍ୟକ୍ରମ ଆୟୋଜିତ କରିଥାଏ ବୋଲି ଯୁବବାହିନୀ ର ଜିଲ୍ଲା ସଂଯୋଜକ ତଥା କାର୍ଯ୍ୟକାରିଣୀ ସଦସ୍ୟ ସମାସ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁନାଥ ସାହୁ, ଯୁବ ସମାଜସେବୀ ତଥା ମଦମୁକ୍ତି ଯୁବବାହିନୀର ପ୍ରତିଷ୍ଠାତା ସଦସ୍ୟ ଅକ୍ଷୟ କୁମାର ରାଉତରାୟ, ଛାତ୍ରନେତା ଶ୍ରୀତମ କୁମାର ପ୍ରଧାନ, ସମାଜସେବୀ ସୁଦର୍ଶନ ମହାନ୍ତି, ମଦମୁକ୍ତି ଆନ୍ଦୋଳନ ନେତା ତଥା ସମାଜସେବୀ ଅକ୍ଷୟ ରଥ, ଶିବପ୍ରସାଦ ରାଉତ, ପବିତ୍ର ସାହୁଙ୍କ ସହ ଅନ୍ୟମାନେ ଯୋଗ ଦେବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ଯୁବ ସାଥିମାନଙ୍କୁ ସଙ୍ଗଠନ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)