November 28, 2026

କୋଟିଆରେ ପରବ ଉତ୍ସବର ପ୍ରସ୍ତୁତି ଜୋରଦାର, ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷ..

IMG-20261128-WA0084
Share

କୋରାପୁଟ ୨୮ ନଭେମ୍ବର: ଆସନ୍ତା ଡିସେମ୍ବର ୧ ଓ ୨ ତାରିଖରେ କୋଟିଆ ଅଞ୍ଚଳର ନାର୍ଡିବାଲସା ଓ ଫାଟୁସିନେରୀଠାରେ ଆୟୋଜିତ ହେବାକୁ ଥିବା ପରବ–୨୦୨୬ ଉତ୍ସବର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ କୋଟିଆ ଅଞ୍ଚଳର ନାର୍ଡିବାଲସା ଓ ଫାଟୁସିନେରୀ ପରିଦର୍ଶନ କରି ପରବ ଉତ୍ସବର ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ।ପରିଦର୍ଶନ ସମୟରେ ଉତ୍ସବ ଆୟୋଜନ ସ୍ଥଳ, ଆବଶ୍ୟକୀୟ ଭିତ୍ତିଭୂମି, ଜନସମାଗମ ପରିଚାଳନା, ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିଥିଲେ। ଉତ୍ସବକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଅବସରରେ ଅପର ସେମ୍ବିଠାରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଯୁବକ ଓ କ୍ରୀଡ଼ାପ୍ରେମୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପରବ ଉତ୍ସବ ସହିତ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସାମୂହିକ ଏକତାକୁ ଅଧିକ ଉତ୍ସାହିତ କରିବ।ଏହି କାର୍ଯ୍ୟକ୍ରମରେ – ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ ଶ୍ରୀ କନୱର ବିଶାଳ ସିଂହ, କୋରାପୁଟ ଏସ୍‌ପି ,ରୋହିତ ବର୍ମା, ଉପଜିଲ୍ଲାପାଳ ଫାବି ରସିଦ, ଏସ୍‌ଡିପିଓ ଶ୍ରୀମତୀ ସୁମିତ୍ରା ଜେନା, ଅତିରିକ୍ତ ଏସ୍‌ପି ଶ୍ରୀ ମନୋଜ ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ପରବ–୨୦୨୬ ମାଧ୍ୟମରେ କୋଟିଆ ଅଞ୍ଚଳର ଆଦିବାସୀ କଳା, ସଂସ୍କୃତି, ପରମ୍ପରା, ଲୋକକଳା ଓ କ୍ରୀଡ଼ା ପ୍ରତିଭାକୁ ରାଜ୍ୟ ତଥା ଜାତୀୟସ୍ତରରେ ପରିଚିତ କରାଇବା ସହ ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକତା, ଭାଇଚାରା ଓ ବିକାଶମୂଳକ ଚେତନାକୁ ସୁଦୃଢ଼ କରିବା ଦିଗରେ ଏହି ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ ବୋଲି ମତ ପ୍ରକାଶ ପାଇଛି l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l

You may have missed