ଉମରକୋଟ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ପିଏମ୍ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତଙ୍କ ନେତୃତ୍ବରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଉମରକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନିଲ କୁମାର ମିଶ୍ର ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ବିଦ୍ୟାଳୟ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ବିଚାରକ ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଅଧିକାରୀଗୁଡାର ପ୍ରଧାନଶିକ୍ଷକ ଦେବାଶିଷ ନନ୍ଦୀ ଏବଂ ଯୁବ ବୈଜ୍ଞାନିକ ରବିରଞ୍ଜନ ତ୍ରିପାଠୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ ପାଇଁ ଏହା ଏକ ଉତ୍ତମ ମାଧ୍ୟମ ବୋଲି ବିଚାରକମାନେ ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତ ନାୟକ ଓ ଉପସଭାପତି ସର୍ବଜିତ କୌର ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ସହିତ ଏକ ଟିଏଲ୍ଏମ୍ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ବିଜ୍ଞାନଭିତ୍ତିକ ପ୍ରାଚୀର ପତ୍ରିକା ‘ଅନ୍ୱେଷଣ’ ଏବଂ ସାହିତ୍ୟଭିତ୍ତିକ ପ୍ରାଚୀର ପତ୍ରିକା ‘ସ୍ମରଣୀକା’ର ଦ୍ୱିତୀୟ ସଂଖ୍ୟା ଏହି ଅବସରରେ ଶୁଭ ଉନ୍ମୋଚିତ ହୋଇଥିଲା। ଜୁନିୟର ବର୍ଗ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ)ର ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶିତ ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଏବଂ ସିନିୟର ବର୍ଗ (ନବମ ଓ ଦଶମ ଶ୍ରେଣୀ)ର ପାଞ୍ଚଟି ଶ୍ରେଷ୍ଠ ପ୍ରକଳ୍ପକୁ ଚୟନ କରାଯାଇଥିଲା। ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା


