ପାହାଡ଼ପଦର ଅଞ୍ଚଳରେ ହାତୀପଲଙ୍କ ଆତଙ୍କ
।ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଦକ୍ଷୀଣ ବନଖଣ୍ଡ ଅଧୀନରେ ଆସୁଥିବା ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ବରାବର ହାତୀଙ୍କ ଉପଦ୍ରଵ ଯୋଗୁଁ ଧନ ଜୀବନର କ୍ଷୟକ୍ଷତି ହୋଇଆସୁଥିବା ବେଳେ, ପୁଣିଥରେ ବ୍ଲକର ପାହାଡ଼ପଦର ପଞ୍ଚାୟତ ଅଧିନସ୍ଥ ପାହାଡ଼ପଦର ଓ ଜାମଗୁଡା ଗ୍ରାମରେ ହାତୀପଲଙ୍କ ଉପଦ୍ରଵରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ।ସୂଚନା ଅନୁଯାୟୀ,ପାହାଡ଼ପଦର ଗ୍ରାମରେ ହାତୀପଲ ପଶି ଉପଦ୍ରଵ କରି ଗ୍ରାମର ହରେକୃଷ୍ଣ ସାହୁ ଓ ବିରସିଂ ମାଝୀଙ୍କ ଧାନ ଫସଲ ସମ୍ପୂର୍ଣ ନଷ୍ଟ କରିଦେଇଥିବା ବେଳେ, ଜାମଗୁଡା ଗ୍ରାମରେ ପଶି ତ୍ରିନାଥ ସାହୁ, ବିରଞ୍ଚି ସାହୁ ଓ ରବୀନ୍ଦ୍ର ସାହୁଙ୍କ ଘର ଗୁଡିକ ଭାଙ୍ଗିଦେବା ସହ ଘରେ ଥିବା ରାସନ ସାମଗ୍ରୀ ଓ ଜିନିଷପତ୍ର ଗୁଡିକୁ ନଷ୍ଟ କରିଦେଇଛନ୍ତି ଓ ଗାଁ ନିକଟସ୍ଥ ଚାଷ ଜମିରେ ପଶି ଚାଷ କରାଯାଇଥିବା ଧାନ, ମାଣ୍ଡିଆ, ଅଳସି, ବିରି ଆଦି ଶସ୍ୟ ଗୁଡିକୁ ମଧ୍ୟ ନଷ୍ଟ କରିଦେଇଛନ୍ତି।ଜଙ୍ଗଲ ମଧ୍ୟରେ ଓ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବରାବର ହାତୀଙ୍କ ଉପଦ୍ରଵ ଯୋଗୁଁ ଧନ ଜୀବନ ନଷ୍ଟ ହୋଇଚାଲିଥିବା ବେଳେ, ଏହାକୁ ରୋକିବା ପାଇଁ ବନବିଭାଗ ତରଫରୁ ଉଚିତ ପଦକ୍ଷେପ ନେବା ସହ ହାତୀପଲଙ୍କ ଦ୍ୱାରା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ପାରିବାରଙ୍କୁ ନିୟମାନୁଯାୟୀ ଉଚିତ କ୍ଷତିପୁରଣ ପ୍ରଦାନକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି।
