ବାତ୍ୟା “ଅକଭାନ”କୁ ଦୃଷ୍ଟିରେ ରଖି ବାଘୁଆ ଜଳଭଣ୍ଡାରରୁ ଜଳ ନିଷ୍କାସନ କଲା ଜଳସେଚନ ବିଭାଗ
ବୁଗୁଡ଼ା : ତା ୧୬/୧୧/୨୬ : ସମ୍ଭାବ୍ଯ ବାତ୍ଯା “ଅକଭାନ”ର ପ୍ରଭାବକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାଘୁଆ ଜଳଭଣ୍ଡାରର ସୁରକ୍ଷା ଏବଂ ଜଳସ୍ତରର ବିପଦ ସଙ୍କେତକୁ ବିଚାର କରି ଜଳସେଚନ ବିଭାଗ ପକ୍ଷରୁ ଗତ ରବିବାର ବିଳମ୍ବିତ ରାତିରେ ଜଳଭଣ୍ଡାରର ଗୋଟିଏ ଗେଟ ମାଧ୍ୟମରେ ଜଳ ନିଷ୍କାସନ କରାଯାଇଥିବା ଜଣାଯାଇଛି । ବାଘୁଆ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବାବେଳେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ବାଘୁଆ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିବା ସମ୍ଭାବନାକୁ ନଜରରେ ରଖି ବିପଦଜ୍ଜନକ ସ୍ଥିତିକୁ ଏଡ଼ାଇବା ପାଇଁ ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ନିର୍ଦ୍ଦେଶ କ୍ରମେ ରବିବାର ରାତିରୁ ବାଘୁଆ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବଜୀବନ ମହାପାତ୍ରଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି। ବାଘୁଆ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବାବେଳେ ବର୍ତ୍ତମାନ ବାଘୁଆ ଜଳଭଣ୍ଡାରର ଜଳସ୍ତରର ଉଚ୍ଚତା ୧୧୨.୭୮ ମିଟର ଅର୍ଥାତ ୭୨.୧୯% ରହିଥିବା ଜଣାଯାଇଛି। ପ୍ରକାଶ ଯେ, ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରି ବାଘୁଆ ନଦୀରେ ଛଡାଯିବା ପାଇଁ ପୂର୍ବରୁ ବିଭାଗୀୟ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ନଦୀକୁ କେହି ନଯିବା ସହ ଗୃହପାଳିତ ପଶୁଙ୍କୁ ନଦୀକୁ ନଛାଡିବା ସକାଶେ ସତର୍କ ସୂଚନା ଜାରି କରାଯାଇଥିଲା।

