ଅଦିନିଆ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ବ୍ଲକରେ ବ୍ୟାପକ ଫସଲ ହାନି
ଲାଞ୍ଜିଗଡ଼ -( ପୁରନ୍ଦର ଦଣ୍ଡସେନା ) କିଛିଦିନର ଅଦିନିଆ ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ବ୍ଲକରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଛି l ଲାଞ୍ଜିଗଡ଼ ବ୍ଲକଟି ସମ୍ପୂର୍ଣ୍ଣ ଭାବେ ଆଦିବାସୀ ଅଧ୍ୟୁଷିତ l ଏ ଅଞ୍ଚଳର ଲୋକେ ଜୀବିକା ସ୍ୱରୂପ ପ୍ରାୟତଃ ଚାଷ ଉପରେ ନିର୍ଭର କରିଥାନ୍ତି l ଏହି ବ୍ଲକରେ ଧାନ ଚାଷ ସହିତ ମାଣ୍ଡିଆ, ଗୁର୍ଜି, ସୁଆଁ, କୋଶଳା, କାଙ୍ଗୁ, କୋଦ ପ୍ରଭୃତି ଶସ୍ୟ ସହିତ ବିଭିନ୍ନ ଡାଲି ଜାତୀୟ ଓ ତୈଳ ବୀଜ, ଯେପରିକି କାନ୍ଦୁଲ, ବିରି, ମୁଗ, କୋଳଥ, ଝୁଡ଼ଙ୍ଗ, କଟିଙ୍ଗ, ଅଳସୀ, ରାଶି,ସୋରିଷ, ସୂର୍ଯ୍ୟମୁଖି
ଓ କପା ମଧ୍ୟ ପ୍ରଚୁର ପରିମାଣରେ ଚାଷ ହୋଇଥାଏ l କିନ୍ତୁ ବର୍ତ୍ତମାନ କିଛି ଦିନ ଧରି ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ସମସ୍ତ ପ୍ରକାର ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି l ଯେଉଁ ପାଚିଲା ଧାନ ସବୁ କଟା ହୋଇ ଜମିରେ ପଡିଥିଲା, ବର୍ଷା ଯୋଗୁଁ ସେ ସବୁ ଭିଜିଗଲା l ଓଦା ଧାନ ବିଲରୁ ଉଠାଇବା ସମ୍ଭବ ନ ଥିଲା l ତେଣୁ ଅନେକ ଧାନ ଜମିରେ ହିଁ ଗଜା ହୋଇଗଲା l ଏବେ ବି ଅନେକ ଜମିର ଧାନ କଟା ହୋଇପାରିନାହିଁ l
ବିରି, ମୁଗ କୋଳଥ ମଧ୍ୟ ବହୁ ପରିମାଣରେ ଗଜା ହୋଇ ନଷ୍ଟ ହୋଇଯାଇଛି l କାନ୍ଦୁଲ ଗଛର ଫୁଲ ସବୁ ଝଡିଯାଇଛି l କପା ଚାଷ ମଧ୍ୟ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି l ମୋଟାମୋଟି ଭାବେ ଦେଖିବାକୁ ଗଲେ ସାମଗ୍ରିକ ଭାବେ ଚାଷର ପଚାଶ ପ୍ରତିଶତ ନଷ୍ଟ ହୋଇଯାଇଛି l ତେଣୁ ଲାଞ୍ଜିଗଡ଼ ବ୍ଲକର ଅଧିକାଂଶ ଚାଷୀ, ଯେଉଁ ମାନଙ୍କର ଚାଷ ହିଁ ଏକମାତ୍ର ଜୀବିକା ଓ ଭରଷା, ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି l ବର୍ଷକର ପରିଶ୍ରମ ଓ ଚାଷରେ ଲଗାଇ ଥିବା ଅର୍ଥ ଏଭଳି ଭାବେ ନଷ୍ଟ ହୋଇଯିବା ଯୋଗୁଁ ମନରେ ହତାଶ ଭାବ ଆସିଯାଇଛି l ଏଠାରେ କୌଣସି କର୍ମ ନିଯୁକ୍ତିର ସୁବିଧା ନ ଥିବାରୁ କିଛି ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେଣି ଏବଂ ଆଉ କିଛି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି l ସରକାରୀ ସ୍ତରରେ ଏ ବିଷୟରେ ଅନୁଧ୍ୟାନ କରି ଶୀଘ୍ର ଏ ଅଞ୍ଚଳର ଲୋକଙ୍କର ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦିଆଯାଉ, ନଚେତ ପରେ ଅବସ୍ଥା ଅସମ୍ଭାଳ ହୋଇପାରେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର