ଗଜପତି:- ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଆଜି ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ମହମ୍ମଦ ମୁବାରକ ଅଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଏଏନଏମ ତାଲିମ ଛାତ୍ରୀ , ଆଶାକର୍ମୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ସାମିଲ ଥିଲେ ।
ପରେ ପୂର୍ବାହ୍ନରେ ଜିଲ୍ଲା ଏଏନଏମଟିସି କେନ୍ଦ୍ର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ମୁବାରକ୍ ଅଲ୍ଲୀ ଅଧ୍ୟକ୍ଷତା କରି ତମାଖୁ ସେବନ ଦ୍ଵାରା ଆମ ସ୍ୱାସ୍ଥ୍ୟ ପ୍ରତି କିପରି ବିପଜ୍ଜନକ ହୋଇଥାଏ , ତମାଖୁ ସେବନର ଭୟାବହତା , ଏହା ସେବନ କରିବା ଦ୍ୱାରା କି କି ପ୍ରକାର ରୋଗ ଆକ୍ରାନ୍ତ କରିଥାଏ ଏବଂ ଏହା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କିଭଳି ପ୍ରଭାବିତ ହୋଇଥାଏ , ସେ ସବୁର ବିଭିନ୍ନ ଦିଗ ଉପରେ କହି ତମାଖୁ ମୁକ୍ତ ଓ ସ୍ୱଚ୍ଛ ପରିବେଶ ଗଠନରେ ସମସ୍ତେ ସାମିଲ ହୋଇ ତମାଖୁ ମୁକ୍ତ ସୁସ୍ଥ ସମାଜ ଗଠନ କରିବାକୁ ଆହ୍ବାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୁଷ୍ଠ ନିବାରଣ ଅଧିକାରୀ ଡ଼ାଃ ଇନ୍ଦିରା ମହାପାତ୍ର , ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ଆନନ୍ଦ ସାମନ୍ତରାୟ , ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ତପସ୍ଵିନୀ ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଦିବସ ପାଳନର ଉଦ୍ଦେଶ୍ୟ , ତମାଖୁ ସେବନର ଉପକାରିତା , ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରଭୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଏହା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମେତ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର , ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମଧ୍ୟ ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-