April 29, 2026

ଗଜପତି:- କୁଷ୍ଠ ଚିକିତ୍ସ୍ୟାଳୟରେ “ବିଶ୍ୱ କୁଷ୍ଠ ଦିବସ” ପାଳିତ

IMG-20260131-WA0087
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୁଷ୍ଠ ଚିକିତ୍ସାଳୟରେ ବିଶ୍ୱ କୁଷ୍ଠ ଦିବସ ଉତ୍ସାହ ଓ ସାମାଜିକ ସଙ୍କଳ୍ପ ସହ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମଟି ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଆୟୋଜିତ ହୋଇଥିଲା।

କୁଷ୍ଠ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି, କୁସଂସ୍କାର ଓ ଅପମାନ ହ୍ରାସ , ଏବଂ ସମୟୋଚିତ ଚିହ୍ନଟ ଓ ଚିକିତ୍ସା ପ୍ରଚାର କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି କୁହାଯାଇଛି ।

ଏହି ଅବସରରେ ଡା. ଦୁର୍ଗା ପ୍ରସାଦ ପାଢ଼ୀ , ଡା. ଏସ୍.ଏନ୍. ସନ୍ଧ୍ୟା , ଡା. ଏମ୍.ଏମ, ଆଲ୍ଲି (ସିଡିଏମ୍ଓ) , ଶ୍ରୀ ଶ୍ରୀଧର ରାଓ ଓ ଶ୍ରୀ ରାମକୃଷ୍ଣ ନାଇଡୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ସେମାନେ ତାଙ୍କ ଉଦବୋଧନରେ କୁଷ୍ଠ ରୋଗର ଶୀଘ୍ର ଚିହ୍ନଟ , ମଲ୍ଟି ଡ୍ରଗ୍ ଥେରାପି ମାଧ୍ୟମରେ ନିୟମିତ ଚିକିତ୍ସାର ଗୁରୁତ୍ୱ ଓ ରୋଗୀ ମାନଙ୍କ ପ୍ରତି ସାମାଜିକ ଅପମାନ ଓ ବିଭେଦ ଦୂର କରିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ। ସମାଜରେ ସଚେତନତା ପ୍ରସାର କରିବାରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମଟି ଫ୍ୟାକଲ୍ଟି କୋ-ଓର୍ଡିନେଟର ମିସ୍ ସୁଭାଶ୍ରୀ ପାଣିଗ୍ରାହୀ ଓ ମିସେସ୍ ପି. ବେବୀରାଣୀ ଙ୍କ ନିର୍ଦ୍ଦେଶନାରେ ଏବଂ ଛାତ୍ର କୋ-ଓର୍ଡିନେଟର ସୁଭାଶ୍ରୀ ପଣ୍ଡା ଓ ବି. ଗ୍ରେସି ବିରୋ’ଙ୍କ ପ୍ରତ୍ୟକ୍ଷ ସହଯୋଗରେ ସଫଳତାର ସହ ପରିଚାଳିତ ହୋଇଥିଲା। ସେମାନଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକଳାପ ସୁଚାରୁ ଭାବରେ ସମ୍ପନ୍ନ ହୋଇଥିଲା।

କାର୍ଯ୍ୟକ୍ରମର ଅଂଶ ଭାବେ ବିଭିନ୍ନ ଶିକ୍ଷାମୂଳକ ଓ ସଚେତନତା ମୂଳକ କାର୍ଯ୍ୟକଳାପ ଆୟୋଜିତ ହୋଇଥିଲା। କୁଷ୍ଠ ରୋଗ ଓ ତାହାର ନିରାକରଣ ସମ୍ପର୍କରେ କିରଣ ପ୍ରସାଦ ହୋତା , ସୋନାଲି ସ୍ୱାଇଁ , ସୁଗ୍ୟାନିି ପୁଜାରୀ , ବି. ଗ୍ରେସି ବିରୋ , ଏ. ତନୁଜା ଓ ଭବାନୀ ସବରା ପ୍ରମୁଖ ଏଥିରେ ସଚେତନତା ପୋଷ୍ଟର୍ ପ୍ରଦର୍ଶନ କରିଥିଲେ। ସେହି ପୋଷ୍ଟର୍ ମାନଙ୍କରେ କୁଷ୍ଠ ରୋଗର କାରଣ ଓ ତାର ଲକ୍ଷଣ ସମେତ ଚିକିତ୍ସା ଓ ପ୍ରତିକାର ବିଷୟରେ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିଥିଲେ।

ତୃତୀୟ ସେମିଷ୍ଟାର ଛାତ୍ରୀ ସ୍ଥିତି ପ୍ରଜ୍ଞା ଜେନା ଓ ସନ୍ଧ୍ୟା ରାଣୀ ପାଢ଼ୀଙ୍କ ଦ୍ୱାରା ଫ୍ଲାଶ୍ କାର୍ଡ ଡେମନଷ୍ଟ୍ରେଶନ କରା ଯାଇଥିଲା , ଯାହା ମାଧ୍ୟମରେ କି କୁଷ୍ଠ ରୋଗର ସଂକ୍ରମଣ ଓ ପରିଚାଳନା ବିଷୟରେ ସରଳ ଭାବେ ତଥ୍ୟ ପ୍ରଦାନ କରା ଯାଇଥିଲା। ଦ୍ୱିତୀୟ ସେମିଷ୍ଟାର ର ଛାତ୍ରଛାତ୍ରୀ ମାନେ ଏକ ସଚେତନତା ମୂଳକ ନାଟିକା ପ୍ରଦର୍ଶନ କରି କୁଷ୍ଠ କୁ ନେଇ ସମାଜରେ ଥିବା କୁସଂସ୍କାର ଓ ବିଭେଦ ବିରୋଧରେ ସନ୍ଦେଶ ପ୍ରସାର କରିଥିଲେ।

ଦ୍ୱିତୀୟ ସେମିଷ୍ଟାରର ଛାତ୍ରୀ ସୁଭାଶ୍ରୀ ପାଣ୍ଡା ଓ ସନ୍ଧ୍ୟା ନାଗଙ୍କ ଦ୍ୱାରା କୁଷ୍ଠ ରୋଗର ଅବସ୍ଥା , ଚିକିତ୍ସା ଓ ପ୍ରତିରୋଧ ବିଷୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ଦିଆଯାଇଥିଲା। ଦ୍ୱିତୀୟ ଓ ତୃତୀୟ ସେମିଷ୍ଟାରର ଛାତ୍ରଛାତ୍ରୀ ମାନେ ସମୁଦାୟ ର୍ୟାଲି ଓ ସଚେତନତା ଅଭିଯାନ ଆୟୋଜନ କରି “କୁଷ୍ଠ ରୋଗ ସୁସ୍ଥ ହେବା ଯୋଗ୍ୟ” ବୋଲି ସନ୍ଦେଶ ପ୍ରଚାର କରିଥିଲେ। ସେମାନେ ସଚେତନତା ମୂଳକ ସ୍ଲୋଗାନ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ଜାଗୃତ ଓ ସଚେତନ କରିଥିଲେ।

ଏହା ସହିତ ସେଞ୍ଚୁରିଅନ୍ ୟୁନିଭରର୍ସିଟି ପକ୍ଷରୁ ସ୍କୁଲ୍ ଅଫ୍ ନର୍ସିଂ ମାଧ୍ୟମରେ କୁଷ୍ଠ ରୋଗୀ ମାନଙ୍କୁ ଡେଟଲ୍ ଲିକୁଇଡ୍ , ସାବୁନ୍ ଓ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରା ଯାଇଥିଲା। ଏହା ରୋଗୀ ମାନଙ୍କ ପ୍ରତି ସମବେଦନା ଓ ସମର୍ଥନର ପ୍ରତୀକ ଭାବେ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମର ଶେଷରେ “କୁଷ୍ଠ ରୋଗ ସୁସ୍ଥ ହେବା ଯୋଗ୍ୟ ଓ ସମାଜର ସମୁହିକ ପ୍ରୟାସରେ କୁସଂସ୍କାର ମୁକ୍ତ ସମାଜ ଗଠନ ସମ୍ଭବ” ବୋଲି ଦୃଢ଼ ସନ୍ଦେଶ ଦିଆ ଯାଇଥିଲା। ଏହି ପାଳନ ମାଧ୍ୟମରେ ସମାଜରେ ସଚେତନତା ବୃଦ୍ଧି ହୋଇଥିବା ସହ ଏକ ସମାନତା ମୂଳକ ଓ କୁଷ୍ଠମୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ମିଳିଥିଲା।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————