ଅତାବିରା ମାର୍କେଟରେ ଓଡିଶା ରାଜ୍ୟ କୃଷକ ସଂଗଠନର ବୈଠକ
ସୁରେନ୍ଦ୍ର କଠାର,ବରଗଡ
ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ଏକ ବୈଠକ ରବିବାର ସନ୍ଦ୍ୟା ୫ଟାରେ ଅତାବିରା ମାର୍କେଟରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଏହି ବୈଠକରେ ସୋମବାର ଦିନ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସାକ୍ଷାତ କରି ଧାନ ସଂଗ୍ରହ, ବଂଚିତ ଥିବା ଚାଷୀଙ୍କ ପଂଜୀକରଣ ଆଦି ସମସ୍ୟା ଉପରେ ଆଲୋଚନା କରିବାର ନିଷ୍ପତ୍ତି ହୋଇଥିଲା। ସଂଗଠନର ବୈଠକରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଠା ରମେଶ ମହାପାତ୍ର ଯୋଗ ଜିଲ୍ଲାର ସାମଗ୍ରିକ ସମସ୍ୟା ଉପରେ ସୂଚନା ଦେଇ ଜିଲ୍ଲାର କାର୍ଯ୍ୟ କରୁଥିବା ସମସ୍ତ ବ୍ଳକ କୃଷକ/ଚାଷୀ ସଂଗଠନକୁ ନେଇ ଆସନ୍ତା ସୋମବାର କଳାପାଣିରେ ଏକ ବୈଠକ କରାଯିବ ବୋଲି ପ୍ରକାଶ କରିଥିଲେ। ଏଥିରେ ସମସ୍ତ ସଂଗଠନର ନିଷ୍ପତ୍ତିକ୍ରମେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ସରକାର ଧାନ କେବେ କିଣିବେ। ବହୁ ଚାଷୀ ଟୋକନ ଡ଼ିସେମ୍ବର ୧୫ ପରେ ଆସିଛି, ଆଉ କିଛିଙ୍କ ଆସି ନାହିଁ। ଜାନୁଆରିରୁ ରବି ଫସଲ କାମ ଆରମ୍ଭ ହେଉଥିବାରୁ ଟୋକନକୁ ଆଗକୁ ଅଣାଯାଉ। ସରକାରଙ୍କ କିଣ୍ଟାଲ ପ୍ରତି ବର୍ଦ୍ଧିତ ୬୯ ଟଙ୍କା ସହାୟକ ଦର ଦେବେ କି ନାହିଁ ସ୍ବଷ୍ଟ କରନ୍ତୁ। ଆସି ନଥିବା ଟୋକନ ସବୁ ଜେନେରେଟ୍ କରାଯାଉ। ଚାଷୀ ପଂଜୀକରଣରୁ ବାତ ପଡ଼ିଥିବା ୫ ହଜାର ଚାଷୀଙ୍କ ପଂଜୀକରଣ ଦିଗରେ କ’ଣ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। ଜାନୁଆରି ୧୫ ତାରିଖ ସୁଦ୍ଧା ପଂଜୀକୃତ ସମସ୍ତ ଧାନ ସଂଗ୍ରହ କରନ୍ତୁ। ମଣ୍ଡିକୁ ଚାଷୀ ଧାନ ଆଣିବାରୁ ୪୮ ଘଣ୍ଟା ଭିତରେ ସରକାର ଧାନ କିଣୁ। ଏହି ଦାବି ନେଇ ମୁଖ୍ୟତଃ ଆଲୋଚନାର ବିଷୟ ରହିବ। କଳାପାଣି ସମାବେଶକୁ ଅତାବିରା କୃଷକ ସଂଗଠନ ଯୋଗ ଦେଇ ପରବର୍ତ୍ତି କାର୍ଯ୍ୟପ୍ରନ୍ଥା ନିର୍ଧାରିତ କରାଯିବ। ବୈଠକରେ ଏକାଦଶିଆ ସାହୁ, ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଂପାଦକ ସୁରେଶ କର୍ଣ୍ଣ, ସୁଜିତ ପ୍ରଧାନ, ଭି ସତବାବୁ, ପାପା ରାଓ, କେ.ରାମବାବୁ, କୃପା ରାଓ, କୃଷ୍ଣ ବାବୁ, ସଂକ୍ରାନ୍ତି ରେଡ୍ଡୀ, ଦଶରଥ ଭୋଇ, ସମୀର ପ୍ରଧାନ, ବୁଦ୍ଧଦେବ ନନ୍ଦ, ଭୁବନ ପ୍ରଧାନ, ପଦ୍ମପ୍ରକାଶ ମିଶ୍ର, କୁବେର ପ୍ରଧାନ, ଦେବେନ୍ଦ୍ର ସାହୁ, ରାଜେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
