July 5, 2024

ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ, ଉମରକୋଟ ର ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଆବେଦନ ପତ୍ର ପ୍ରଦାନ କଲେ ଗୁରୁଛାତ୍ରଛାତ୍ରୀ

Share

 

ଉମରକୋଟ:- (ଏମ.ଦିନା°ଶୁ ଆଚାରୀ) ଉମରକୋଟ ଗୁରୁଛାତ୍ରଛାତ୍ରୀମାନେ ଅନୁଷ୍ଠାନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଙ୍କ ନିକଟରେ ଭେଟି ଏକ ଆବେଦନ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ରେ ଅନୁଷ୍ଠାନର ପ୍ରଶାସନିକ ଏବଂ ଭିତ୍ତିଭୂମି ସୁବିଧା ସହ ଜଡ଼ିତ ଅନେକ ପ୍ରସଙ୍ଗ ଉଠାଇଛନ୍ତି । ଯେମିତିକି କି, ମୁଖ୍ୟ ସମସ୍ୟା ମଧ୍ୟରେ ପ୍ରଥମଟି ହେଲା ୧୦୦ ଗୁରୁଛାତ୍ରଛାତ୍ରୀଙ୍କ ପାଇଁ କେବଳ ୨ଜଣ ପ୍ରଶିକ୍ଷକ ଅଛନ୍ତି । ଯେଉଁ କାରଣରୁ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଛି । ଅଧିକନ୍ତୁ, ଅନୁଷ୍ଠାନରେ କୌଣସି ସ୍ଥାୟୀ ପ୍ରିନ୍ସିପାଲ୍ ନାହାନ୍ତି, ଯାହା ପ୍ରଶାସନିକ କାର୍ଯ୍ୟଗୁଡ଼ିକର ସୁଗମ ଚାଲିବାରେ ବାଧା ସୃଷ୍ଟି କରିଥାଏ । ଦ୍ୱିତୀୟତଃ ରହିବା ପାଇଁ ଏକମାତ୍ର ବାଳକ ହଷ୍ଟେଲ ରହିଥିବା ବେଳେ ତାହାର ଅବସ୍ଥା ଅତି ଦୁଃଖଦାୟକ । ଏଥି ସହିତ, ଝିଅପିଲାମାନଙ୍କ ପାଇଁ ହଷ୍ଟେଲ ସୁବିଧା ନଥିବାରୁ ସେମାନେ ଭଡ଼ାଘରେ ରହି ତାଲିମ ନେଉଛନ୍ତି, ଯେଉଁ କାରଣରୁ ସେମାନଙ୍କ ଉପରେ ଆର୍ଥିକ ବୋଝ ବଢୁଛି । ତୃତୀୟ, ଅନୁଷ୍ଠାନର ଚାରିପାଖରେ ବାଉଣ୍ଡ୍ରି ନ ଥିବାରୁ ବାହାର ଲୋକମାନେ ସହଜରେ କ୍ୟାମ୍ପସ ଭିତରକୁ ପ୍ରବେଶ କରି ମଦ୍ୟପାନ, ଭୋଜିଭାତ କରି ଅନୁଷ୍ଠାନର ପରିବେଶକୁ ଅପରିଷ୍କାର ବିସ୍ତାର କରୁଛନ୍ତି । ଯେଉଁଥିପାଇଁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାରେ ବିପଦ ପଡ଼ିଥାଏ । ଚତୁର୍ଥ, କ୍ୟାମ୍ପସରେ କେବଳ ଗୋଟିଏ ମାତ୍ର ନଳକୂଅ ଅଛି କିନ୍ତୁ, ଏହାର ଜଳ ପାନୀୟ ନୁହେଁ । ଏହି କାରଣରୁ ଛାତ୍ରଛାତ୍ରୀ ମାନେ ବିଶୁଦ୍ଧ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଞ୍ଚମ, ଉଭୟ ଶ୍ରେଣୀଗୃହ ଏବଂ ହଷ୍ଟେଲ ରେ ୱାସରୁମ୍ ଏବଂ ଶୌଚାଳୟ ର ସୁବିଧା ପର୍ଯ୍ୟାପ୍ତ ନୁହେଁ, ଯାହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ । ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଏହି ସବୁ ସମସ୍ୟାର ସମାଧାନ ପାଇଁ ସେମାନେ ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଏକ ଲିଖିତ ଆବେଦନ ପତ୍ର ପ୍ରଦାନ କରିଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ଯଦି ଏ ସମସ୍ୟାର ସମାଧାନ ନହୁଏ, ତେବେ ସେମାନଙ୍କର ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ । ଆହୁରି ମଧ୍ୟ ଆଶା କରୁଛନ୍ତି ଯେ, ମନ୍ତ୍ରୀ ସେମାନଙ୍କ ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରିବେ ଏବଂ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଯେତେବେଳେ ସମସ୍ୟାର ସମାଧାନ ହେବ ସେତେବେଳେ ଅନୁଷ୍ଠାନର ଶିକ୍ଷାଗତ ତଥା ସାମାଜିକ ପରିବେଶରେ ଉନ୍ନତି ଆସିବ।