କେନ୍ଦ୍ରର କେନ୍ଦୁପତ୍ର ଛଳନା…
କେନ୍ଦୁପତ୍ର ତେଳାଳୀଙ୍କ ଉପରେ ଲଦିଛନ୍ତି ୧୮ ପ୍ରତିଶତ ଜିଏସଟି, କିନ୍ତୁ ରାଜ୍ୟ ସରକାର ଦେଉଛନ୍ତି ସହାୟତା
– ୨୦୧୯ ନିର୍ବାଚନରେ ଜିଏସଟି ଟଙ୍କା ଫେରସ୍ତ ପାଇଁ ପ୍ରତିଶୃତି ଦେଇ ଭୁଲିଯାଇଛନ୍ତି କେନ୍ଦ୍ର ସରକାର
ସମ୍ବଲପୁର ; କେନ୍ଦ୍ର ଦେଇଛି ଜିଏସଟି, ରାଜ୍ୟ ଦଉଛି ସହାୟତା । ୨୦୧୯ ର ପ୍ରତିଶୃତିର ପ୍ରତାରଣା ପରେ ପୁଣି ଏଥର ଜିଏସଟି ଫରସ୍ତ ନେଇ ଛଳନା କରିଛି ବିଜେପି ସରକାର । ଏଥର ମଧ୍ୟ ନିଜର ମନେିଫେଷ୍ଟାରେ ଜିଏସଟି ଫେରସ୍ତ ନେଇ ପ୍ରତିଶୃତି ଦେଇଛି । ଯାହାକୁ କଡା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜିତ ମହାନ୍ତି ।
ସମ୍ବଲପୁର ସ୍ଥିତ ପାନ୍ଥନିବାସ ଠାରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସଞ୍ଜିତ କହିଛନ୍ତି ଓଡିଶା ର ବିଭିନ୍ନ ଜିଲ୍ଳାରେ ପାଖାପାଖି ସାଢେ ଆଠ ଲକ୍ଷ କାର୍ଡଧାରୀ କେନ୍ଦୁପତ୍ର ତୋଳାଳୀ ରହିଛନ୍ତି । ପାଖାପାଖି ୧୮ ହଜାର ସିଜନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଶ୍ରମିକ ହେଉଛନ୍ତି ମହିଳା ଯେଉଁମାନେ ଗରୀବ, ଆଦିବାସୀ ଶ୍ରେଣୀରୁ ଆସନ୍ତି । ଗ୍ରାମାଞ୍ଚଳରେ ବସବାସ କରନ୍ତି । କେନ୍ଦୁପତ୍ର ପାଇଁ ଓ କେନ୍ଦୁପତ୍ର ତୋଳାଳୀଙ୍କ ସାମାଜିକ ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ସାମାଜିକ ଯୋଜନା କରିଛନ୍ତି । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ବୋନସ ପ୍ରଦାନ, ଋତୁକାଳୀନ ସହାୟତା, କାର୍ଯ୍ୟଦିବସ ବୃଦ୍ଧି, କନ୍ୟାବିବାହ ସହାୟତା, ମୃତୁ୍ୟକାଳୀନ ସହାୟତା ଏମିତି ଅନେକ କିଛି । କିନ୍ତୁ ଅନ୍ୟ ଦିଗରେ ଦେଖିବାକୁ ଗଲେ ୨୦୧୭ ମସିହାରେ କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ କରାଗଲା । ଏବଂ ଜିଏସଟି ଲାଗୁ ହେଲାପରେ କେନ୍ଦୁପତ୍ର ଉପରେ ଏକ ମାନ୍ଦା ଅବସ୍ଥା ସୃଷ୍ଟି ହେଲା । ଏନେଇ ଓଡିଶା କେନ୍ଦୁପତ୍ର ତୋଳାଳୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବା ପରେ ସେ ୨୦୧୮ ରୁ ୨୦୨୪ ମସିହା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଚାରିଥର ପତ୍ର ଲେଖି କେନ୍ଦୁପତ୍ର ଉପରୁ ଜିଏସଟି କର ଛାଡ କରିବାକୁ ନିବେଦନ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାରା ଓଡିଶାରେ ବିଭିନ୍ନ ଜିଲ୍ଲା ବୁଲି ବୈଠକ ମାନେ କରିଥିଲେ । ସମସ୍ତ ବୈଠକରେ ସେ କହିଥିଲେ ଯଦି ଏଥର ମଧ୍ୟ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତି ତାହେଲେ କେନ୍ଦୁପତ୍ରରୁ ନିଆଯାଇଥିବା ଜିଏସଟି ଟଙ୍କା ଫେରସ୍ତ କରାଯିବ । ଏପରିକି ବିଜେପି ତାର ମେନିଫେଷ୍ଟୋରେ ମଧ୍ୟ ଏକଥା ଉଲ୍ଲେଖ କରିଥିଲା । ୨୦୧୯ ନିର୍ବାଚନ ଯାଇ ୨୦୨୪ ନିର୍ବାଚନ ଆସିଲା ହେଲେ କେନ୍ଦ୍ର ସରକାର କେନ୍ଦୁପତ୍ର ରୁ ଜିଏସଟି ବାବଦକୁ ୪୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ନେଇଯାଇଥିବା ସତ୍ତ୍ୱେ କେନ୍ଦୁପତ୍ର ତୋଳାଳୀଙ୍କ ସାମାଜିକ ସୁରକ୍ଷା ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ କୌଣସି ପ୍ରକାରରେ ସହାୟତା କଲେନାହିଁ । ଯାହା ଫଳରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଲାଗୁ କରିବାରେ ବାଧା ସୃଷ୍ଟି ହେଲା । ଏନେଇ କେନ୍ଦୁପତ୍ର ତୋଳାଳୀ ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଜିଏସଟି ବାବଦରେ ଯେଉଁ ଅର୍ଥ ରହିଥିଲା ତହିଁରୁ ୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତା ସହିତ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବଢାଇଛନ୍ତି । ସବୁଠୁ ବଡକଥା ହେଲା ଯେଉଁ ଗରୀବ ପରିବାର ରୋଜଗାର ପାଇଁ କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି ତାଙ୍କର ଝିଅ ବିବାହ ପାଇଁ ୨୫ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି । ଗୋଟିଏ ପଟେ କେନ୍ଦୁପତ୍ର ତୋଳାଳୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ସହାୟତା ରାଶି ଘୋଷଣା ଓ ଯୋଜନା କରିଛନ୍ତି । ଅନ୍ୟପଟେ ସମ୍ବଲପୁର ରୁ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିରୁ ପାର୍ଥିତ୍ୱ କରୁଥିବା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ତାଙ୍କୁ ଭେଟି ବାରମ୍ବାର ଏ ସର୍ମ୍ପକରେ ଅବଗତ କରାଯାଇଛି । କିନ୍ତୁ ସେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି କହିଥିଲେ । ନିର୍ବାଚନ ସମୟରେ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୁଆଁ ବୁଲାଉଥିବା ଭାରତୀୟ ଜନତା ପାର୍ଟିକୁ ଲୋକେ ଉଚିତ ଜବାବ ଦେବେ ବୋଲି ପ୍ରତିକ୍ରିୟା ରଖିଥିଲେ । ସାମ୍ବାଦିକ ସମ୍ମିଳନୀରେ ସଞ୍ଜିତ ମହାନ୍ତିଙ୍କ ସହିତ ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ ।