ବିଲରେ ନିଆଁ ଲାଗି ଜଳିଗଲା ୧୦ କ୍ଵିଣ୍ଟାଲ ଧାନ

ଚିକିଟି ଶୁଭଶ୍ରୀ ପ୍ରଧାନ
ତାରିଖ:୨୬/୧୨/୨୫,
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବରଙ୍ଗ ଗ୍ରାମର ବାସାବା ନିଲାୟାଙ୍କ ବିଲରେ ଥିବା ୧୦ କ୍ଵିଣ୍ଟାଲ ଧାନ ନିଆଁ ଲାଗି ଜଳିଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ ଭି ଦେବୀ ପ୍ରସାଦ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ନିଲାୟା ନିଜର ଅମଳ ଧାନକୁ ମେସିନ ଦ୍ବାରା କାଟି ବିଲରେ ଶୁଖାଇ ଥିଲେ। ଅଚାନକ ଆଜି ଅପରାହ୍ନ ସମୟରେ ପଡୋଶୀ ଜମି ବାଲା ବିଲରେ ଥିବା ପାଳରେ ନିଆଁ ଲଗାଇ ଦେଇଥିଲେ। ସେ ନିଆଁ କିଛି ସମୟ ଭିତରେ ଚାରିଆଡ଼େ ବ୍ୟାପିଯିବା ଫଳରେ ପାଖ ବିଲରେ ଥିବା ନିଲାୟାଙ୍କ ୧୦ କ୍ଵିଣ୍ଟାଲ ଧାନ ନିଆଁ ଲାଗି ଜଳି ଯାଇଥିଲା। ଆଖପାଖରେ ଥିବା ଚାଷୀ ହଠାତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରବର୍ତ୍ତୀ ସମୟରେ ପାତ୍ରପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବିଲରେ ଲାଗିଥିବା ନିଆଁକୁ ସମ୍ପୂର୍ଣ ଭାବେ ଆୟତ କରିଥିଲେ। ଅନ୍ୟ ପକ୍ଷରେ ଧାନ ଜଳି ଯାଇଥିବା ନିଲାୟା ନିହାତି ଗରିବ ଶ୍ରେଣୀର। ସେ ଅନ୍ୟ ଜଣଙ୍କ ବିଲକୁ ଭାଗଚାଷ କରି ଅତି କଷ୍ଟରେ ଧାନକୁ ଅମଳ କରିଥିଲେ। ନିଲାୟାଙ୍କ ପରିବାରର ବର୍ଷ ସାରା ଖାଦ୍ୟ ନିଆଁରେ ଜଳିଗଲା । ତେଣୁ ଗରିବ ଚାଷୀ ନିଲାୟାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବରଙ୍ଗ ପଞ୍ଚାୟତର ସରପଞ୍ଚ ଭି ଦେବୀ ପ୍ରସାଦ ଓ ଗ୍ରାମବାସୀ ଦାବି କରିଛନ୍ତି।
