ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ର ଅତିରିକ୍ତ ଶ୍ରେଣୀ ଗୃହ

କୋଲନରା :- କୋଲନରା ବ୍ଲକ ଅନ୍ତର୍ଗତ କାଟିକଣା ପଞ୍ଚାୟତର ରୁପୁଣି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଦୀର୍ଘ ୬ ମାସ ହେଲା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି | ରାଜ୍ୟ ସରକାର ବଦଳି ନୂତନ ସରକାର କ୍ଷମତାକୁ ଆସିବା ପରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପରିବର୍ତ୍ତନ ହୋଇ ଆମ ଓଡ଼ିଶା ବିକଶିତ ଓଡିଶା ହୋଇ ଗଲାଣି କିନ୍ତୁ ରୁପୁଣି ଗ୍ରାମରେ ନିର୍ମିତ ବିଦ୍ୟାଳୟ ଶ୍ରେଣୀ ଗୃହ କାର୍ଯ୍ୟ କଚ୍ଛପ ଗତିରେ ମଧ୍ୟ ଯାଇପାରୁନାହିଁ | ଫଳରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଦୁଇଟି ଶ୍ରେଣୀ ଗୃହରେ ବସି ପାଠ ପଢୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି | କିନ୍ତୁ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କାଟିକଣା ପଞ୍ଚାୟତର ରୁପୁଣି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ନିର୍ମାଣ କରାଯାଉଥିବା ଅତିରିକ୍ତ ଶ୍ରେଣୀ ଗୃହ କାର୍ଯ୍ୟ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ହେବ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି | ସୂଚନା ମୁତାବକ, ତତ୍କାଳୀନ ବିଜେଡି ସରକାର ସମୟରେ ରୁପୁଣି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହର ଅସୁବିଧାକୁ ଦୃଷ୍ଟିରେ ରଖି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଦ୍ଵାରା ୬ ଲକ୍ଷ ଟଙ୍କା ବ୍ୟୟରେ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଅଦ୍ୟାବଧି ହୋଇଥିଲା | ତେବେ ଶ୍ରେଣୀ ଗୃହର ଫାଉଣ୍ଡେସନ କାର୍ଯ୍ୟରୁ ଆରମ୍ଭ କରି ଛାତ ଲେବୁଲ୍ ପର୍ଯ୍ୟନ୍ତ କାମ ସମାପ୍ତ ହୋଇ ସାରିଛି | କିନ୍ତୁ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ହେବ କୌଣସି କାରଣରୁ ଛାତ କାମ ସହିତ ଅନ୍ୟାନ୍ୟ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆଗେଇ ପାରିନାହିଁ | ତେଣୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଶ୍ରେଣୀ ଗୃହର ଅଭାବ ହେତୁ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢୁଥିବା ୨୧ ଜଣ କୋମଳମତି ଛାତ୍ରଛାତ୍ରୀ ମାନେ ଦୁଇଟି ଶ୍ରେଣୀ ଗୃହରେ ଶିକ୍ଷା ଗ୍ରହଣ କରି ନିଜ ନିଜ ଭବିଷ୍ୟତ ଗଠନ କରୁଛନ୍ତି | ଉକ୍ତ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ରହିଛନ୍ତି | ଏଠାରେ ଗୋଟିଏ କଥା ସ୍ପଷ୍ଟ ବାରି ହେଉଛି କି, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ହେତୁ ଛୋଟ ଛୋଟ ପିଲା ମାନଙ୍କ ଭବିଷ୍ୟତ ସହିତ ଅଧିକାରୀ ମାନେ ଖେଳ ଖେଳୁଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି | ବର୍ତ୍ତମାନ ଅତିରିକ୍ତ ଶ୍ରେଣୀ ଗୃହର ଯେତିକି କାମ ହୋଇଛି ସେସବୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି | ସିମେଣ୍ଟ ସବୁ ଖସି ଯାଉଛି | ଯଦି ଆଉ କିଛି ମାସ ଏମିତି ପଡ଼ି ରହେ ତାହେଲେ ଉକ୍ତ ଶ୍ରେଣୀ କୋଠାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ବୋଲି ଲୋକେ କହିଛନ୍ତି |ଏହି ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ବାବୁଲା ହେମ୍ବ୍ରମ ଏବଂ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର ଙ୍କୁ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା ।ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଅସମ୍ପୂର୍ଣ୍ଣ ଅତିରିକ୍ତ ଶ୍ରେଣୀ ଗୃହକୁ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଅଭିଭାବକ ଏବଂ ଗ୍ରାମବାସୀ ମାନେ ଦାବି କରିଛନ୍ତି |
ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ