କାମ ଦେଉଛି ଟ୍ରାକିଙ୍ଗ କ୍ୟାମେରା। କୁଳଡିହାରୁ ପୁଣି ଦୁଇଶିକାରୀ ଗିରଫ..
ନୀଳଗିରି ( ଦେବାଶିଷ ଦାଶ )
କୁଳଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଟ୍ରାପ୍ କ୍ୟାମେରା । ଝରଣାଘାଟି ସେକ୍ସନ ଚେମଚଟା ବିଟ୍ କଙ୍କଡାବିଳ ଅଞ୍ଚଳରେ ବନବିଭାଗ ଦ୍ଵାରା ଖଞ୍ଜା ଯାଇଥିବା ଦୁଇଟି ଟ୍ରାପ କ୍ୟାମେରାରେ କୟଦ ହୋଇଥିବା ଚିତ୍ର ଅନୁଯାୟୀ ଗତ ଅଗଷ୍ଟ ୯ତାରିଖ ଭୋର ୫.୦୫ରେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦରଖୋଳି ଅଞ୍ଚଳ ପିଣ୍ଡାବସା ଗ୍ରାମର ଦାମ ସମଦ(୨୩) ଏବଂ ଉକ୍ତ ଗ୍ରାମର ସୁଦର୍ଶନ ବିଶ୍ୱାଳ(୫୮) କୁଳଡିହା ରେଞ୍ଜରେ ପଶୁ ଶିକାର ଉଦ୍ଦେଶ୍ୟରେ ପଶିଥିଲେ। ବନବିଭାଗର ରୁଟିନ୍ ଚେକ୍ ସମୟରେ ଘଟଣା ଜଣାପଡିବା ପରେ, ସେମାନଙ୍କ ସନ୍ଧାନରେ ଥିଲା। ଗତ ଅଗଷ୍ଟ ୨୭ ତାରିଖ ସକାଳ ୬.୧୫ ସମୟରେ କୁଲଡ଼ିହା ବନବିଭାଗ ଏବଂ ସୋର ବନବିଭାଗର କର୍ମଚାରୀ ଉଭୟ ଶିକାରୀଙ୍କୁ ତାଙ୍କ ଘରୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ଗୁଳିଭର୍ତ୍ତି ଦେଶୀବନ୍ଧୁକ, କାଣ୍ଡ, ଧନୁତୀର, କୁରାଢି, କତା, ହରିଣ ଶିଙ୍ଗ, ଛୁରୀ , ଫାଶ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତକରି ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଅନୁଯାୟୀ କୋର୍ଟ ଚାଲାଣ କରିଛି। ଅଧିକ ତଦନ୍ତ ଚାଲିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
