ବୁଗୁଡ଼ା ସହର ମୁଖ୍ୟ ସଡକ ସମ୍ପ୍ରସାରଣରେ ବାଧକ ସାଜିଛି ଜବର ଦଖଲ , ଉଚ୍ଛେଦ ପାଇଁ ଚାଲିଛି ଚିହ୍ନଟ ପ୍ରକ୍ରିୟା , ବିଦ୍ଯୁତ୍ ଖୁଣ୍ଟ ଓ ଟ୍ରାନ୍ସଫର୍ମରର ହଟିବା ପରେ ଡିଭାଇଡର ହେବ

ବୁଗୁଡା : ତା ୨୯/୦୭/୨୫ : ବୁଗୁଡ଼ା ସହର ମୁଖ୍ୟ ସଡକର ଉଭୟ ପାର୍ଶ୍ବରେ ଡ୍ରେନ ଅତିକ୍ରମ ପୂର୍ବକ ଜବର ଦଖଲ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ଯା ଦୂରୀକରଣ ଏବଂ ଆଗାମୀ ଦିନରେ ହେବାକୁ ଯାଉଥିବା ମୁଖ୍ୟ ସଡକର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୂର୍ବରୁ ଜନସାଧାରଣଙ୍କୁ ଅବଗତ କରାଇ ଗତ ୨୨ ତାରିଖ ଦିନ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଉଚ୍ଛେଦ ପ୍ରକ୍ରିୟା ସ୍ଥାନୀୟ ଶକ୍ତିନଗରଠାରୁ ଆରମ୍ଭ ହୋଇ ହାଇସ୍କୁଲ ଛକ ଏବଂ ସେଠାରୁ ସିନେମା ହଲ ଛକ ପର୍ଯ୍ୟନ୍ତ ଯାଇନପାରି ମଦନ ମୋହନ ଛକ ନିକଟରେ ଅଟକି ଯାଇଥିଲା। ଏଭଳି ଦରଖଣ୍ଡିଆ ଉଚ୍ଛେଦ ପ୍ରକ୍ରିୟା ସାଙ୍ଗକୁ ଉଚ୍ଛେଦ ସମୟରେ ପ୍ରଶାସନ ପକ୍ଷରୁ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିବା ନେଇ ସାଧାରଣରେ ସମାଲୋଚନା ସହ ଅସନ୍ତୋଷ ଦେଖା ଦେଇଥିଲା। ଅନ୍ୟପକ୍ଷରେ ଗତ ୨୩ ତାରିଖରେ ତହସିଲ ପ୍ରଶାସନ ପକ୍ଷରୁ କେତେକ ଶକ୍ତିନଗର ବାସିନ୍ଦାଙ୍କୁ ଜବର ଦଖଲକାରୀ ଦର୍ଶାଇ ସେମାନଙ୍କୁ ୨୯ ତାରିଖରେ ହେବାକୁ ଥିବା ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ କୁହାଯାଇଥିଲା। ଏହି ପ୍ରକାରେ ଆଜି ତହସିଲଦାର ତାପସ ରାଉତଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ମେଳି ହୋଇଥିବା ସାହି ବାସିନ୍ଦାଙ୍କ ସହଯୋଗରେ ମୁଖ୍ୟ ସଡକ ସମ୍ପ୍ରସାରଣ ଓ ଡ୍ରେନ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଜାଗାର ଚିହ୍ନଟ ପ୍ରକ୍ରିୟା ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା ବେଳେ ଉତ୍ତେଜନାମୂଳକ ପରିସ୍ଥିତିକୁ ଉପଭୋଗ କରିବା ପାଇଁ ଅନ୍ଯ ସାହିର ଦେଖଣାହାରୀଙ୍କ ଭିଡ ଜମିଥିଲା। ତେବେ କେତେ ପ୍ରସ୍ଥର ସଡକ ନିର୍ମାଣ ହେବ ଏବଂ ଉଭୟ ପାର୍ଶ୍ବରେ କେତେ ଦୂରତାରେ ଡ୍ରେନ ନିର୍ମାଣ ହେବ ସେନେଇ ତହସିଲ ପ୍ରଶାସନ ପକ୍ଷରୁ କୌଣସି ସଠିକ୍ ଉତ୍ତର ପ୍ରଦାନ କରାଯାଇ ପାରିନଥିବା ବେଳେ ସ୍ଥାନୀୟ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀଙ୍କ ଠିକଣା ସମୟରେ ଦେଖା ମିଳୁନଥିବାରୁ ସାଧାରଣରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ମୁଖ୍ୟ ସଡକର ସମ୍ପ୍ରସାରଣ ଓ ଡ୍ରେନ ନିର୍ମାଣ
କାର୍ଯ୍ୟ ଆରମ୍ଭ ସାଙ୍ଗକୁ ସଡକ କଡସ୍ଥ ଟ୍ରାନ୍ସଫର୍ମର ଉଚ୍ଛେଦ କେବେ ହେବ ଏବଂ ଡିଭାଇଡର ନିର୍ମାଣ ସୁନିଶ୍ଚିତ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ପରିପ୍ରେକ୍ଷୀରେ ଜବର ଦଖଲ ଉଚ୍ଛେଦ ପରେ ମଦନ ମୋହନ ଛକରୁ ବଡଶଙ୍ଖ ପର୍ଯ୍ୟନ୍ତ ଡିଭାଇଡର ହେବ। ଏଥି ନିମନ୍ତେ ମୁଖ୍ଯ ରାସ୍ତା କଡସ୍ଥ ବିଦ୍ଯୁତ୍ ଖୁଣ୍ଟ ଓ ଟ୍ରାନ୍ସଫର୍ମରର ହଟାଇବା ପାଇଁ ପୂର୍ତ୍ତ ବିଭାଗ ତରଫରୁ ବିଦ୍ଯୁତ୍ ବିଭାଗକୁ ଦୁଇ ମାସ ହେଲା ଏଷ୍ଟିମେଟ୍ ମଗାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏ ପର୍ଯ୍ୟନ୍ତ ଦେଇ ନଥିବା କଥା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଲମ୍ବୋଦର ବେହରା କହିଛନ୍ତି। ଅନ୍ୟପକ୍ଷରେ ବିଦ୍ଯୁତ୍ ବିଭାଗ ଏସଡିଓ ସ୍ମୃତି ରଞ୍ଜନ ଦାସ କହିଛନ୍ତି ଯେ ଏଷ୍ଟିମେଟ୍ ପାଇଁ ପଠାଯାଇଛି ଏବଂ ତାହା ଖୁବ୍ ଶୀଘ୍ର ପ୍ରଦାନ କରାଯିବ। ତେବେ ବିଦ୍ଯୁତ୍ ଖମ୍ବ ଓ ଟ୍ରାନ୍ସଫର୍ମର ହଟିବା ପରେ ହିଁ ଡିଭାଇଡର କାମ ଆରମ୍ଭ ହେବ ବୋଲି ଜଣାପଡିଛି।
