October 5, 2024

ତୁରନ୍ତ ନିଯୁକ୍ତି ଓ ବକେୟା ପାରିଶ୍ରମିକ ଦାବିରେ ରାଜ୍ୟର ପୌର ୱାର୍ଡ କୋର୍ଡିନେଟରମାନଙ୍କ ପିଏମଜିରେ ବିକ୍ଷୋଭ..

Share

 

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିମାନଙ୍କରେ ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇଦେବାକୁ ଗତ ୨୦୨୨ ମସିହାରେ ଏସଏଚଜି ଜରିଆରେ ସହରାଞ୍ଚଳର ଶିକ୍ଷିତ ଯୁବତୀମାନଙ୍କୁ ଓ୍ଵାର୍ଡ କ୍ଵାର୍ଡିନେଟର୍ ଭାବେ ଶିକ୍ଷାଗତ ଯୋଗ୍ୟତାର ଆଧାରରେ ଚୟନ କରିଥିଲେ । ଯଦିଓ ସେମାନଙ୍କୁ ପୌର କର୍ତ୍ତୃପକ୍ଷ ସରକାରଙ୍କ ବିଭିନ୍ନ କାମରେ ମାସ ମାସ ଧରି ନିୟୋଜିତ କରିଥିଲେ କିନ୍ତୁ ସେମାନଙ୍କୁ ସେଥିପାଇଁ କୌଣସି ପାରିଶ୍ରମିକ ଦିଆଯାଇ ନଥିଲା କି ବିଧିବଦ୍ଧ ଭାବେ ଓ୍ଵାର୍ଡ କ୍ଵାର୍ଡିନେଟର୍ ଭାବେ ନିଯୁକ୍ତି ଦିଆଯାଇ ନଥିଲା । ଯାରି ଫଳରେ ଓ୍ଵାର୍ଡ କ୍ଵାର୍ଡିନେଟର୍ ଭାବେ ଚୟନିତ ହୋଇଥିବା ଏହି ଯୁବତୀମାନେ ଦୀର୍ଘ ଦୁଇ ବର୍ଷ ଧରି ଅନିଶ୍ଚିତତା ଓ ମାନସିକ ଚାପ ଭିତରେ ରହିଛନ୍ତି । ନୂଆ ସରକାର ଗଠିତ ହେବା ପରେ ଓ୍ଵାର୍ଡ କ୍ଵାର୍ଡିନେଟରମାନେ ସଂଘବଦ୍ଧ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଥିଲେ ବି ଦୀର୍ଘ ଏକମାସ ହେଲା କୌଣସି ପଦେକ୍ଷପ ନିଆଯାଇ ନାହିଁ । ଇତି ମଧ୍ୟରେ ସେମାନେ ରାଜ୍ୟର ବିଭନ୍ନ ପୌର କାର୍ଯ୍ୟାଳୟ ଆଗରେ ମଧ୍ୟ ପ୍ରଦର୍ଶନ କରି ନିଜର ଦାବିପତ୍ର ଦେଇସାରିଛନ୍ତି । ଦୀର୍ଘ ଏକ ମାସ ଅପେକ୍ଷା କରିବା ପରେ ଆଜି ନିଜର ତିନି ଦଫା ଦାବୀକୁ ନେଇ ବିଧାନସଭା ଘେରାଉ କରିଛନ୍ତି I

ଏହିକ୍ରମରେ ଆଜି ପୂର୍ବାହ୍ନରେ ଲୋୟାର ପିଏମଜିରୁ ନିଖିଳ ଓଡ଼ିଶା ପୌର ଓ୍ଵାର୍ଡ କ୍ଵାର୍ଡିନେଟର୍ ୟୁନିଅନ୍ ପକ୍ଷରୁ ଏକ ବିଶାଳ ରାଲି ବାହାରି ବିଧାନସଭା ଆଡକୁ ଅଗ୍ରସର ହୋଇଥିଲେ I ପିଏମଜି ନିକଟସ୍ଥ ଧାରଣା ସ୍ଥଳରେ ପୋଲିସ ଅଟକାଇବା ପରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ପରେ ୟୁନିଅନର ରାଜ୍ୟ ଆବାହିକା ଆରତୀ ପ୍ରଧାନ, ଚନ୍ଦ୍ରକାନ୍ତି ସେନ ଓ ମୃଣ୍ମୟୀ ଦାସଙ୍କୁ ନେଇ ଗଠିତ ଏକ ତିନି ଜଣିଆ ପ୍ରତିନିଧି ଦଳ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଦେବାଶିଷ ସିଂଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସରକାର ଆପଣଙ୍କ ଦାବି ପୂରଣ ନେଇ ତତ୍ପର ଅଛନ୍ତି ଓ ଆଗାମୀ ଅଗଷ୍ଟ ୧୯ ତାରିଖ ମଧ୍ୟରେ ଦାବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶୃତି ପାଇବା ପରେ ୟୁନିଅନ୍ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା ଏବଂ ଦାବି ପୂରଣରେ ବିଳମ୍ବ ହେଲେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନେତୃବୃନ୍ଦ ଘୋଷଣା କରିଥିଲେ । ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ରାଜ୍ୟ କମିଟି ସଦସ୍ୟ ପ୍ରଶାନ୍ତ ପରିଛା, ସଂଘର ଉପଦେଷ୍ଟା ଭାଲଚନ୍ଦ୍ର ଷଡ଼ଙ୍ଗୀ, ପ୍ରଗତିଶୀଳ ବୁଦ୍ଧିଜୀବି ଶ୍ରୀମନ୍ତ ମହାନ୍ତିଙ୍କ ସହ ରାଜ୍ୟର ବିଭନ୍ନ ପୌର ସଂସ୍ଥାରୁ ଆସିଥିବା ନିବେଦିତା ତ୍ରିପାଠୀ, ଶିଳ୍ପାରାଣୀ ପଣ୍ଡା, ରୁନୁଲତା ଖଣ୍ଡୁଆଳ, ପିଙ୍କି ନାହାକ, ସ୍ଵୟଂପ୍ରଭା ବାରିକ ପ୍ରମୁଖ ଓ୍ଵାର୍ଡ କ୍ଵାର୍ଡିନେଟରଙ୍କ ନେତ୍ରୀ ଅଂଶଗ୍ରହଣ କରିଥିଲେ ।

 

ନିବେଦକ

ନିଖିଳ ଓଡିଶା ୱାର୍ଡ କୋର୍ଡିନେଟର ୟୁନିଅନ ତରଫରୁ

ଆରତୀ ପ୍ରଧାନ – ଆବାହିକା (ଫୋନ ନମ୍ବର 8917363789)

ପ୍ରତାପ ପ୍ରଧାନ- 9337022601

(ଇଫଟୁ ରାଜ୍ୟ ସଭାପତି)