March 7, 2026

ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ..

IMG-20250629-WA0033
Share

 

ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ବେଳେ ଆଜି ଭୋର୍‌ରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।

 

ଭୁବନେଶ୍ବର: ପୁରୀର ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ବେଳେ ଆଜି ଭୋର୍‌ରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।

 

ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ଼ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି।

 

 

ଏହା ସହିତ ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ସ୍ବାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବାବେଳେ ନୂତନ ଏସ୍‌ ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି। ଏହା ସହିତ ଡିସିପି ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ସୂଚନାଯୋଗ୍ୟ, ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ।