ଜୀବନ ପାତ୍ର ଗଳିରେ ଜୀବନ ପ୍ରତି ବିପଦ , ପ୍ରତିକାର ଦାବି

ବୁଗୁଡ଼ା : ତା ୨୯/୦୪/୨୫ : ଦୁର୍ଘଟଣାକୁ ଡାକୁଛି ଜୀବନ ପାତ୍ର ଗଳି l ଜୀବନ ପାତ୍ର ଗଳିରେ ପୁଣି ଦେଖା ଦେଇଛି ଜୀବନ ପ୍ରତି ବିପଦ l କେତେବେଳେ କାହାର ଜୀବନ ଚାଲିଯିବ ସେହି ଆଶଙ୍କାରେ ଏବେ ସାହି ବାସିନ୍ଦା l ବର୍ତ୍ତମାନ ରାସ୍ତା ମଝିରେ ଏବେ ବିରାଟ ଖାଲ l କେହି ଯଦି ଅସାବଧାନତା ବଶତଃ ଚାଲିଯିବ ତେବେ ଦୁର୍ଘଟଣା ଥୟ l ବୁଗୁଡ଼ା ସହରର ଜୀବନ ପାତ୍ର ଗଳି ବିପଦପୂର୍ଣ୍ଣ ହୋଇ ପଡିଛି l ଏହି ଗଳି ମଝିରେ ଡ୍ରେନ ନିର୍ମାଣ କରାଯାଇଥିବା ବେଳେ ଏହି ଡ୍ରେନ ଉପରେ ପଡ଼ିଥିବା କଭର ପ୍ଲେଟ ପ୍ରତିବର୍ଷ ଭାଙ୍ଗି ଯାଉଛି l ଏହାର ସ୍ଥାୟୀ ସମାଧାନ ନକରି କେବଳ କାମଚଳା ମରାମତି କରି ଦିଆଯାଉଥିବାରୁ ପ୍ରତିବର୍ଷ ଏପରି ଅବସ୍ଥା ସୃଷ୍ଟି ହେଉଛି l ଏହି ରାସ୍ତା ଉପରେ ପ୍ରାୟ ୫ଟି ସାହିର ଲୋକ, ଛାତ୍ରଛାତ୍ରୀ ନିର୍ଭର କରୁଥିବା ବେଳେ ପିଲାମାନଙ୍କୁ ନେବା ଆଣିବା କରିବା ପାଇଁ ବିଭିନ୍ନ ସ୍କୁଲର ଗାଡି ମଟର ଏହି ରାସ୍ତାରେ ଯିବା ଆସିବା କରନ୍ତି । ତେବେ ରାସ୍ତା ମଝିରେ ଥିବା ଡ୍ରେନ ପ୍ଲେଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ରାତିରେ ବାରମ୍ବାର ବିଦ୍ଯୁତ୍ କାଟ୍ ଯୋଗୁଁ ଅନ୍ଧାର ସମୟରେ ସେହି ରାସ୍ତାରେ ଯାତାୟାତ ବେଳେ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ରହିଛି। ସମ୍ପ୍ରତି ବୁଗୁଡାରେ ଠାକୁରାଣୀ ଯାତ୍ରା ଚାଲିଥିବାରୁ ଲୋକଙ୍କ ଗହଳି ହେଉଥିବାରୁ ଖୁବ ଶୀଘ୍ର ଯଦି ବିକଳ୍ପ ବ୍ୟବସ୍ଥା କରା ନଯାଏ ତାହେଲେ ଅନେକ ଦୁର୍ଘଟଣା ଘଟିବା ଆଶଙ୍କା ଦେଖା ଦେଇଛି l ତେଣୁ ଏନ୍ଏସି ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏଥି ପ୍ରତି ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।