March 11, 2026

ଟ୍ରକ୍ ଧକ୍କାରେ ଭାଙ୍ଗିଗଲା ବିରଞ୍ଚି ନାରାୟଣ ମନ୍ଦିରର ଅରୁଣ ସ୍ତମ୍ଭ , ଶ୍ରଦ୍ଧାଳୁ ମର୍ମାହତ 

IMG-20230429-WA0025
Share

 

 

ବୁଗୁଡ଼ା : ତା ୨୯/୦୪/୨୩ : ଓଡିଶାର ପ୍ରସିଦ୍ଧ କାଷ୍ଠ କୋଣାର୍କ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ସମ୍ମୁଖସ୍ଥ ଅରୁଣ ସ୍ତମ୍ଭଟି ଟ୍ରକ୍ ଧକ୍କାରେ ଭାଙ୍ଗି ମୁଖଶାଳା ଉପରେ ଢଳି ପଡିବା ସହ ସ୍ତମ୍ଭ ଉପରିସ୍ଥ ଅରୁଣ ମୂର୍ତ୍ତିଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଦୀର୍ଘ ଦୁଇ ଶହରୁ ଅଧିକ ବର୍ଷର ପୁରୁଣା ଖଣ୍ଡୋଲାଇଟ୍ ଷ୍ଟୋନରେ ନିର୍ମିତ ବିଶାଳକାୟ ଅରୁଣ ସ୍ତମ୍ଭଟିର ଭଗ୍ନ ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଛି । ପ୍ରାୟ ଏକୋଇଶି ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ସ୍ତମ୍ଭର ପାଞ୍ଚ ଫୁଟରୁ ଅଧିକ ଅଂଶ ମାଟିରେ ପୋତି ହୋଇ ରହିଥିଲେ ହେଁ ଅବଶିଷ୍ଟ ଦୃଶ୍ୟମାନ ଅଂଶ କିଭଳି ଟ୍ରକ୍ ଧକ୍କାରେ କିଭଳି ଭଗ୍ନ ରୂପ ଧାରଣ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ପ୍ରକାଶ ଯେ , ଆଜି ବଡି ଭୋର ସମୟରେ ଏକ ସାର ବୋଝେଇ ଟ୍ରକ (ନଂ- ଓଆର୍ ୦୭ କେ ୯୯୪୧ ) ପୋଲସରା ପଟୁ ଆସି ବୁଗୁଡ଼ା ବଡ଼ଦାଣ୍ଡରେ ପ୍ରବେଶ କରିଥିଲା । ତେବେ ବଡ଼ଦାଣ୍ଡରେ ପଞ୍ଚ ଠାକୁରାଣୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ କରାଯାଇଥିବାରୁ ଟ୍ରକଟି ଆଉ ଆଗକୁ ଯାଇ ନପାରି ପଛକୁ ଆସିବାକୁ ବାଧ୍ଯ ହୋଇଥିଲା ଏବଂ ପଛକୁ ଆସିବା ବେଳେ ଉକ୍ତ ଅରୁଣ ସ୍ତମ୍ଭଟିକୁ ଧକ୍କା ଦେବା ଫଳରେ ଏଭଳି ଅଘଟଣ ଘଟିଥିଲା । ଏ ନେଇ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସ ରାଜ୍ଯ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରାଇବା ସହ ବୁଗୁଡ଼ା ଥାନାରେ ଲିଖିତାଭିଯୋଗ କ୍ରମେ ପୋଲିସ ଟ୍ରକଟିକୁ ଜବତ କରିବା ସହ ସଂପୃକ୍ତ ଡ୍ରାଇଭରକୁ ଅଟକ ରଖିଥିବା ଜଣାଯାଇଛି । ଉକ୍ତ ଭଗ୍ନ ଅରୁଣ ସ୍ତମ୍ଭର ପୁନଃ ସ୍ଥାପନ କାର୍ଯ୍ୟ ଯଥାଶୀଘ୍ର କରାଯିବା ନେଇ ସାଧାରଣରେ ଦାବି ହୋଇଥିବା ଜଣାଯାଇଛି ।

ବୁଗୁଡ଼ା ରିପୋର୍ଟ ହର ପ୍ରସାଦ ପାଢି