November 24, 2024

ବାଇକ୍ ଦୁର୍ଘଟଣାରେ ୨ ଶ୍ରମିକ ଗୁରୁତର….

Share

ବୁଗୁଡ଼ା :  ସ୍ଥାନୀୟ ବୁଦ୍ଧଗିରି ବିଦ୍ୟାପୀଠ ନିକଟରେ ବିଦ୍ଯୁତ୍ ଖମ୍ବକୁ ଧକ୍କା ଦେଇ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଦୁଇ ଜଣ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ରଞ୍ଜନ ନାଇକ (୩୫) ଓ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଗ୍ରାମର ପିଣ୍ଟୁ ନାଇକ (୩୩) । ଘଟଣାରୁ ପ୍ରକାଶ ଯେ , ବୁଗୁଡା ଅଞ୍ଚଳର ଏକ ଇଟା ଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ରଞ୍ଜନ ଓ ପିଣ୍ଟୁ ଦୁହେଁ ଅନ୍ଯ ଜଣେ ଶ୍ରମିକ ସାଗର ନାଇକର ବାଇକରେ ବସି ବୁଗୁଡ଼ାରୁ ଇଟା ଭାଟିକୁ ଦ୍ରୁତ ଗତିରେ ଯାଉଥିଲେ । ତେବେ ତିନିହେଁ ଅତ୍ଯଧିକ ମଦ୍ୟପାନ କରିଥିବାରୁ ବୁଦ୍ଧଗିରି ବିଦ୍ୟାପୀଠ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ବିଦ୍ଯୁତ୍ ଖୁଣ୍ଟକୁ ଜୋରର ଧକ୍କା ଦେଇଥିଲେ । ଦୁର୍ଘଟଣାରେ ଚାଳକ ସାଗର ସାମାନ୍ୟ ଆହତ ହୋଇଥିଲେ ହେଁ ପିଣ୍ଟୁର ବାମ ଗୋଡ଼ ଓ ହାତ ଭାଙ୍ଗି ଯାଇଥିବା ବେଳେ ରଞ୍ଜନର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରୁ ଆହାତ ଦୁହିଁଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା ।ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।