ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ
ସୁରେନ୍ଦ୍ର କଠାର,ବରଗଡ
ସ୍ଥାନୀୟ ପଂଚାୟତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ବିଭାଗ ମୁଖ୍ୟ ଡ଼. ଶେଷନ୍ ବିଶିଙ୍କ ପୌରୋହିତ୍ୟରେ ସ୍ନାତକ ପ୍ରଥମ ବର୍ଷ ଓ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ବର୍ଣ୍ଣାଢ଼୍ୟ ରୀତିରେ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଇଂରାଜୀ ବିଭାଗର ବିଭାଗ ମୁଖ୍ୟ ଡ଼. ଉମେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ବକ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣାପ୍ରଦ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗ ମୁଖ୍ୟ ଡ଼. ବିଶି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଭାବରେ ବିଭାଗ ତରଫରୁ ସ୍ଵାଗତ ଜଣାଇଥିଲେ। ବିଭାଗର ଅଧ୍ୟାପିକା ଡ଼. ସ୍ମିତା ପାଣିଗ୍ରାହୀ, ଡ଼. ସୁନୀତା ବେହେରା, ଛନ୍ଦାରାଣୀ ବେସନ, ଅଧ୍ୟାପକ ଡ଼. ଅନନ୍ତ କୁମାର ମେହେର, ଯୋଗେନ୍ଦ୍ର କୁମାର ମେହେର ଓ ଶାନ୍ତନୁ ସୁନା ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇବା ସହ ବହୁ ଉପାଦେୟ ତଥା ସଦୁପଦେଶ ପ୍ରଦାନପୂର୍ବକ ଶୃଙ୍ଖଳିତ ଭାବେ ବିଦ୍ୟା ଅଧ୍ୟୟନ କରି ସଫଳ ଓ ଆଦର୍ଶ ମଣିଷ ହେବାକୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ନୂତନ ସଦସ୍ୟ ଭାବରେ ଯୋଗ ଦେଇଥିବା ଅଧ୍ୟାପକ ଶାନ୍ତନୁ ସୁନାଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନେ ସ୍ଵାଗତ ଜଣାଇଥିଲେ।ସ୍ନାତକୋତ୍ତର ଦ୍ଵିତୀୟ ବର୍ଷର ଛାତ୍ର ଶ୍ରୀମାନ ଉତ୍ତମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ଛାତ୍ରୀ ସୁଶ୍ରୀ କସ୍ତୁରୀ ସାହୁ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ଶ୍ରୀମାନ ଚିରନ୍ତନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଵାଗତ ସମ୍ବର୍ଦ୍ଧନା ସଭା ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ତରଫରୁ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଭାଗର ଉଭୟ ନୂତନ ଓ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସଙ୍ଗୀତ, ନୃତ୍ୟ ଓ ଅଭିନୟ ପରିବେଷଣ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲେ। ଉକ୍ତ ସ୍ଵାଗତ ସମାରୋହରେ ବିଭାଗର ସ୍ନାତକ ଦ୍ୱିତୀୟ ଓ ତୃତୀୟ ଏଵଂ ସ୍ନାତକୋତ୍ତର ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଉପସ୍ଥିତ ଥିଲେ।
