ହାଟଡିହି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ
ହାଟଡିହି ତା ୨୮/୮(ମନମୋହନ ନାୟକ) : ଆନନ୍ଦପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହାଟଡିହି ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କିସ୍କୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁ, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଆନନ୍ଦପୁର ପୌରପାଳିକାର ପୂର୍ବତନ ନଗରପାଳ ଶାନ୍ତନୁ ସେଠୀ, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦୀପ, ଧୂପ, ଅରୁଆ ଚାଉଳ, ପୁଷ୍ପ ଓ ଶଙ୍ଖଧ୍ୱନି ସହ ହୁଳହୁଳି ଦେଇ ଅତିଥିଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ବନ୍ଦାପନା କରିଥିଲେ। ପରେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ଖୁଆଇ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନେତ୍ରୀ ତୃପ୍ତିମୟୀ ଜେନା, ତୃପ୍ତିମୟୀ ଖୁଣ୍ଟିଆ, ତପସ୍ୱିନୀ ସାମନ୍ତରାୟ, ଶ୍ୱେତପଦ୍ମା ନାୟକ, ସୋନାଲି ମହାନ୍ତିଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପରସ୍ପର ମଧ୍ୟରେ ଭାଇଚାରା, ସ୍ନେହ ଓ ସୌହାର୍ଦ୍ଦ୍ୟର ବନ୍ଧନକୁ ଦୃଢ଼ କରିବାର ବାର୍ତ୍ତା ଦେଇଥିବା ଏହି ଉତ୍ସବ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା।
