ମୋହନା ଅଞ୍ଚଳରେ ଘୋଷ ଯାତ୍ରା

ମୋହନା— ଗଜପତି ଜ଼ିଲ୍ଲା ମୋହନା ବ୍ଳକର ମୋହନା, ଚନ୍ଦ୍ରଗିରି ଓ ନଳାଘାଟ ଗ୍ରାମରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ଆଜି ସକାଳ ସମୟରେ ଜଗନ୍ନାଥ ମନ୍ଦିରରେ ରୀତି ନୀତି ପ୍ରକାରେ ପୁରୋହିତ ପଣ୍ଡିତ ଶିବଶଙ୍କର ପଣ୍ଡା ଜୀଉଙ୍କୁ ପୂଜାର୍ଚ୍ଚନା କରିବା ସହ ଅଣସର ଘରୁ ପ୍ରଭୁଙ୍କୁ ବାହାର କରାଯାଇଥିଲା।ଏହାପରେ ସ୍ଥାନୀୟ ବ୍ରାହ୍ମଣ ମହାସଂଘର ସେବକ ମାନେ ଜଗନ୍ନାଥଙ୍କ ବିଗ୍ରହଙ୍କର ପହଣ୍ଡି ବିଜେ କରି ରଥ ନିକଟକୁ ନେବା ପରେ ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ଛେରା ପହଁରା କରିଥିଲେ।ଏହାପରେ ବ୍ରାହ୍ମଣ ଦେବତାମାନେ ମହାପ୍ରଭୁଙ୍କୁ ରଥାରୂଢ଼ କରିଥିଲେ l ଘଣ୍ଟ, ଘଣ୍ଟି, ମୃଦଙ୍ଗ, ଢ଼ୋଲ ଓ ସଂକୀର୍ତ୍ତନ ଦଳର ତାଳେ ତାଳେ ଭକ୍ତମାନେ ରଥ ଟାଣିଥିଲେ l ରଥଯାତ୍ରା ଦେଖିବା ପାଇଁ ମୋହନା ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ରଥ ମାଉସୀ ମାଁ ମନ୍ଦିରରେ ପହଞ୍ଚିବା ପରେ ଠାକୁରଙ୍କୁ ପହଣ୍ଡି କରି ମାଉସୀ ମାଁ ମନ୍ଦିରକୁ ନିଆଯାଇଥିଲା l ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ମୋହନା ଥାନା ଅଧିକାରୀ ବସନ୍ତ ସେଠୀଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ଉପସ୍ଥିତ ଥିବା ବେଳେ ମୋହନା ଡ୍ରାଇଭର ସଙ୍ଘ ସଭାପତି ବିଜି ବେହେର୍ଦ୍ଦଳାଇଙ୍କ ନେତୃତ୍ୱରେ ଡ୍ରାଇଭର ସଙ୍ଘ, ଯୁବକ ସଙ୍ଘ, ବଣିକ ସଙ୍ଘର ସଦସ୍ୟମାନେ ସୁରକ୍ଷା ଦାୟିତ୍ୱ ନିର୍ବାହ କରିଥିଲେ l ସେହିପରି ଚନ୍ଦ୍ରଗିରି ଓ ନଳାଘାଟ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି।
