November 15, 2024

ପୋଚାଲୁଣ୍ଡି ଓ ଭାମଶ୍ୟାଳିରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ

Share

ବୁଗୁଡା : ତା ୨୮/୦୩/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ପୋଚାଲୁଣ୍ଡି ଏବଂ ଭାମଶ୍ୟାଳି ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିନରେ ଦଣ୍ଡ ଉଠୁଥିବା କାଳୀ ମନ୍ଦିର ଗୁଡିକରେ ପାରମ୍ପରିକ ରୀତିନୀତି ପ୍ରକାରେ ସମସ୍ତ କାର୍ଯ୍ୟ ପ୍ରାତଃ କାଳରୁ ଆରମ୍ଭ ହୋଇଥିଲା । ଗ୍ରାମରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବା ପରେ ପଇତାପକା , ଅପରାହ୍ନରେ ଦାଣ୍ଡ ଭ୍ରମଣ, ଧୂଳି ଦଣ୍ଡ , ପାଣିଦଣ୍ଡ ଓ ସନ୍ଧ୍ଯା ସମୟରେ ଆଳତି ସହ ରାତିରେ ଦଣ୍ଡୁଆମାନଙ୍କ ଅନ୍ନ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ହୋଇଥିଲା । ଚଳିତ ବର୍ଷ ପାଟଭୋକ୍ତା ସୁରିଆ ସାହୁ ଓ ପୂଜାରୀ ସନ୍ତୋଷ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଚାଲୁଣ୍ଡି ଦଣ୍ଡଯାତ୍ରା ଏବଂ ପାଟଭୋକ୍ତା ଭଗବାନ ଗୌଡ ଓ ପୂଜାରୀ ବାଦଲ ଗୌଡଙ୍କ ତତ୍ତ୍ଵାବଧାନରେ ଭାମଶ୍ୟାଳି ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଛି । ଦଣ୍ଡଯାତ୍ରା କାଳରେ ଉଭୟ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି କୃପା ଭିକ୍ଷା କରିଥିଲେ । ଏ ବର୍ଷ ପୋଚାଲୁଣ୍ଡି ଦଣ୍ଡଯାତ୍ରା ପରିଚାଳକ ଭଗବାନ ପ୍ରଧାନଙ୍କ ତତ୍ତ୍ବାବଧାନରେ ସାମାଜିକ ନାଟକ ” ମଝି ନଈରେ ମୋ ଜୀବନ ଡଙ୍ଗା ” ଏବଂ ଭାମଶ୍ୟାଳି ଦଣ୍ଡଯାତ୍ରା କମିଟି ସଭାପତି ସୁନୀଲ କୁମାର ପାଢି ଓ ପରିଚାଳକ ନାରାୟଣ ପୋଲେଇଙ୍କ ତତ୍ତ୍ବାବଧାନରେ ନାଟକ ” କଳା କାହ୍ନୁ ମୋର କାଳିଆ ସୁନା ” ମଞ୍ଚସ୍ଥ ହୋଇଥିଲା । ଉଭୟ ଗ୍ରାମରେ ଦଣ୍ଡଯାତ୍ରା ପରିଚାଳନାରେ ଗ୍ରାମବାସୀଙ୍କ ସହଯୋଗ ଦେଖିବାକୁ ମିଳିଥିଲା ।

You may have missed