ରାଜ୍ୟସ୍ତରୀୟ ବିଶ୍ଵ ସ୍ବେଛାସେବୀ ସଂଗଠନ ଦିବସ ପାଳିତ
ବିଭିନ୍ନ ବର୍ଗରେ କର୍ତ୍ତବ୍ୟ ୨୦୨୬ ସମ୍ମାନ ପାଇଲେ ୧୮ ଟି ଅନୁଷ୍ଠାନ :
ରାଜନୀତିରେ ସ୍ବେଛାସେବୀ ସଂଗଠନମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି :
ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମ୍ମୁଖ୍ୟ ‘ଦି ବେଲ୍ , ପରିବର୍ତ୍ତନ ଓଡ଼ିଶା, ମହା ବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ଓ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟ ଙ୍କ ମିଳିତ ଆନୁକୁଲ୍ୟରେ ଓ ପୁରୀ ନାରୀସେବା ସଂଘ ଙ୍କ ସହଯୋଗରେ ଆୟୋଜିତ ହୋଇ ଯାଇଚି ରାଜ୍ୟସ୍ତରୀୟ ବିଶ୍ଵ ସ୍ବେଛାସେବୀ ସଂଗଠନ ଦିବସ “କର୍ତ୍ତବ୍ୟ ୨୦୨୬”। ସ୍ଥାନୀୟ ନାରୀସେବା ସଦନ ପରିସରରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ମହିପ୍ରକାଶ ମଠ ର ମଠାଧୀଶ ସ୍ବାମୀ ଶୁଭାନନ୍ଦ ପୁରୀ ଯୋଗ ଦେଇ ଅଧୁନା ପରିସ୍ଥିତିରେ ସମସ୍ତ ଅନୁଷ୍ଠାନ ନିଜ ନିଜ ଭିତରେ ମତପ୍ରାର୍ଥକ୍ୟ ନ ରଖି ସାମୁହିକ ଭାବରେ ସଂଗଠିତ ହୋଇ କାର୍ଯ୍ୟ କଲେ ସମାଜର ବୃହତ୍ ସ୍ବାର୍ଥ ସମାଧାନ ହେବ ଓ ଏଥିସହ ସଂଗଠନ ଗୁଡ଼ିକର କାର୍ଯ୍ୟ ପରିସର ବୃଦ୍ଧି ପାଇବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଭାରତରକ୍ଷାମଞ୍ଚ ର ପୁରୀଜିଲ୍ଲା ସଭାପତି ସାମ୍ବାଦିକ ନାରାୟଣ ଦାଶ, ବରିଷ୍ଠ ସାମାଜିକକର୍ମୀ ସବିତା ମିଶ୍ର, ଲକ୍ଷ୍ମୀ ବାରିକ , ନାରୀସେବାସଂଘ ର ଯୁଗ୍ମ ସଂପାଦିକା ସଂଘମିତ୍ରା ଦାଶ ଓ କକ୍ଷ ସଂପାଦିକା ଅଧ୍ୟାପିକା ବାସନ୍ତୀ ଦେବୀ, ଡଃ ନେତାଜୀ ହରି ଚନ୍ଦନ, ଏବଂ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ପ୍ରମୁଖ ଉତ୍ସବ ରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ‘ଦି ବେଲ୍’ ର ଅଧକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବର ସମ୍ବର୍ଦ୍ଧନା ପର୍ବରେ ସମାଜର ବିଭିନ୍ନ ବିଭାଗରେ ସଫଳତା ସହିତ କାର୍ଯ୍ୟ କରିଥିବା ୧୮ ଗୋଟି ଅନୁଷ୍ଠାନଙ୍କୁ କର୍ତ୍ତବ୍ୟ ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇ ଥିଲା । ସାମାଜିକ କାର୍ଯ୍ୟ ପାଇଁ ଉତ୍କଳମଣି ଙ୍କ ଦ୍ବାରା ସ୍ଥାପିତ ପୁରୀର ସର୍ବପୁରାତନ ସଂପାଦକ ସେବାଅନୁଷ୍ଠାନ ‘ପୁରୀ ସେବା ସମିତି’, ପର୍ଯ୍ୟଟକଙ୍କ ସେବା ପାଇଁ ‘ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ’, ଜନତା ଙ୍କୁ ସଚେତନ କରିବା କ୍ଷେତ୍ରରେ କାର୍ଯ୍ୟପାଇଁ ‘ମିତ୍ର ସଙ୍ଘ’, ପଶୁମାନଙ୍କ ମଙ୍ଗଳ ପାଇଁ ‘ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନ’, ଖାଦ୍ୟ ବିତରଣ ପାଇଁ ‘ଆପଣଙ୍କ ସେବାରେ’, ଯୁବକଙ୍କ ଉନ୍ନତି ପାଇଁ ‘ବିବେକାନନ୍ଦ ଯୁବଶକ୍ତି ସଂଗଠନ’, ରକ୍ତଦାନ ପାଇଁ ‘ସମର୍ପଣ’, ମହିଳା ସଶକ୍ତିକରଣ ପାଇଁ ‘ପୁରୀ ନାରୀସେବା ସଂଘ’, ଗ୍ରାମ୍ୟ ଉନ୍ନତି ପାଇଁ ‘ମାଟିର ମଣିଷ’, ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ‘ଶ୍ରୀନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ’, ଶିଶୁ ଅଧିକାର ପାଇଁ ‘ଶିଶୁ ସମାଚାର’, ତ୍ୱରିତ ସେବା ପାଇଁ ‘ହାପିନେସ ଫାଉଣ୍ଡେସନ’, , ନିଶା ନିବାରଣ ପାଇଁ ‘ମିଶନ ଓଡିଶା’, ଖେଳ କୁଦ ପାଇଁ ‘ଝାଡ଼େଶ୍ୱରୀ କ୍ଲବ’, ଭାଷା ସୁରକ୍ଷା ପାଇଁ ‘କୁମାର କବି ଫାଉଣ୍ଡେସନ’, ବରିଷ୍ଠ ନାଗରିକ ସେବା ପାଇଁ ‘ହୋପ୍ ଇଜ ଲାଇଫ’, ଶିକ୍ଷା ପାଇଁ ‘ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି’ ଏବଂ ସଂଗୀତ ଓ ସଂସ୍କୃତି ପାଇଁ ‘ପ୍ରଣତି କଳା ମନ୍ଦିର’ ଙ୍କୁ କର୍ତ୍ତବ୍ୟ ସମ୍ମାନ ୨୦୨୬ ପ୍ରଦାନ କରାଯାଇ ଥିଲା।
ଉତ୍ସବ ର ଦ୍ୱିତୀୟ ପର୍ବରେ ‘ରାଜନୀତିରେ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇ ଥିଲା।ଏହି ଆଲୋଚନା ଚକ୍ରରେ ମଠାଧୀଶ ଶୁଭାନନ୍ଦ ପୁରୀ, ସାମାଜିକକର୍ମୀ ବିରଞ୍ଚିନାରାୟଣମିଶ୍ର, ପରିବର୍ତ୍ତନ ଓଡ଼ିଶା ର ମୁଖପାତ୍ର ଗଣେଶ ମହାସୁଆର, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ , ସୁରୋଜିତ ଘୋଷ, ଏବଂ ସମର୍ପଣ ର ସଂପାଦିକା ଡଃ ଜୟନ୍ତୀ ମହାପାତ୍ର ପ୍ରମୁଖ ବକ୍ତା ଭାବେ ଯୋଗଦେଇ ସାମାଜିକ ସଂଗଠନ ମାନଙ୍କର ରାଜନୀତି ରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ପ୍ରଦାନ କରି ଥିଲେ।
ଏହି କାର୍ଯ୍ୟକ୍ରମକୁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ, ଶ୍ରୀଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟ, ପରିବର୍ତ୍ତନ ଓଡିଶା ଓ ଦି’ବେଲ୍ ର ସଦସ୍ୟସଦସ୍ୟାଗଣ ଶୃଙ୍ଖଳିତ ଭାବେ ପରିଚାଳନା କରି ଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
