*ଗୋପାଳପୁରରେ ଇତିହାସ ବର୍ତ୍ତମାନ ସହିତ ଏବଂ ପରମ୍ପରା ପ୍ରଗତି ସହିତ ହାତ ମିଳାଇଛି : ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

IMG-20260128-WA0009
Share

 

ଭାରତ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେଉଥିବାବେଳେ ଗୋପାଳପୁର ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଏକ ସ୍ଥିର ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଉତ୍ସବ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଜିର ସାନ୍ଧ୍ୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ମୁଖ୍ୟ ଅତିଥି ପ୍ରକାଶ କରିଛନ୍ତି ।

 

 

ଗୋପାଳପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ

 

ଓଡ଼ିଶା ସର୍ବଦା ବିଶ୍ୱଦୃଷ୍ଟି, ଆତ୍ମବିଶ୍ୱାସ ଏବଂ ଉନ୍ନତ ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ : ରାଜ୍ୟପାଳ

 

ବେଳାଭୂମି ମହୋତ୍ସବ ଓଡ଼ିଶାର ଶ୍ରେଷ୍ଠ ମହୋତ୍ସବ ମଧ୍ୟରୁ ଅନ୍ୟତମ : ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

 

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ସୌନ୍ଦର୍ଯ୍ୟର ସୁନାମିରେ ପରିଣତ ହୋଇଛି : ମନ୍ତ୍ରୀ ବିଭୂତି ଭୂଷଣ ଜେନା

 

ପ୍ରଥମ ଥର ପାଇଁ ବନାରସ ସାଧୁସନ୍ଥ ଦ୍ୱାରା ଅନନ୍ୟ ସମୁଦ୍ର ଆଳତି

 

ବଲିଉଡ ଗାୟକ ବି ପ୍ରାକ, ଓଲିଉଡ଼ ଗାୟକ କୁଲଦୀପ ପଟ୍ଟନାୟକ, ଓଡିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ସଂଗୀତ ଓ ନୃତ୍ୟରେ ଦର୍ଶକ ବିଭୋର

 

ପଲ୍ଲିଶ୍ରୀ ମେଳାରେ ୨୫୦ଷ୍ଟଲ, ଖାଦ୍ୟ ମେଳାରେ ୫୦ଷ୍ଟଲ

 

ବ୍ରହ୍ମପୁର / ଗୋପାଳପୁର,୨୭/୧ : ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସ ବର୍ତ୍ତମାନ ସହ ମିଶିଛି ଏବଂ ପରମ୍ପରା ପ୍ରଗତି ସହିତ ହାତରେ ହାତ ମିଳାଇ ଚାଲିଛି । ଆମର ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ । ପ୍ରାଚୀନ କଳିଙ୍ଗର ବୀର ସାଧବମାନେ ବିଶାଳ ସମୁଦ୍ର ପାର ହୋଇ ବାଣିଜ୍ୟ ସହ ଆମ ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାରପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶା ସର୍ବଦା ବିଶ୍ୱଦୃଷ୍ଟି, ଆତ୍ମବିଶ୍ୱାସ ଏବଂ ଉନ୍ନତ ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି ।

 

ଭାରତ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେଉଥିବାବେଳେ ଗୋପାଳପୁର ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଏକ ସ୍ଥିର ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଉତ୍ସବ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଜିର ସାନ୍ଧ୍ୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ମୁଖ୍ୟ ଅତିଥି ପ୍ରକାଶ କରିଛନ୍ତି ।

 

ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ ଯେ, ବେଳାଭୂମି ମହୋତ୍ସବ ଓଡ଼ିଶାର ଶ୍ରେଷ୍ଠ ମହୋତ୍ସବ ମଧ୍ୟରୁ ଅନ୍ୟତମ। କଳା, ସାହିତ୍ୟ, ସଂସ୍କୃତି, ସଂଗୀତ ସମସ୍ତ କ୍ଷତ୍ରରେ ଗଞ୍ଜାମର ସ୍ଥାନ ଓଡ଼ିଶାର ସର୍ବାଗ୍ରେ । ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ବହୁପ୍ରତିକ୍ଷୀତ ଗୋପାଳପୁର ବେଳାଭୂମି ମହୋତ୍ସବକୁ କେବଳ ଓଡିଶା ନୁହଁ ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏ ବର୍ଷ ଭାରତବର୍ଷର ସର୍ବୋତ୍ତମ କଳା, ସଂସ୍କୃତି, ଅନନ୍ୟ ସମୁଦ୍ର ଆଳତି, ବେଳାଭୂମି କ୍ରୀଡା, ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳାର ଆୟୋଜନ କରାଯାଇଛି । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମ ଓ ଗୋପାଳପୁରର ସାମାଜିକ ଓ ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଗୋପାଳପୁର ଏନଏସି ଅଧକ୍ଷ ଏ ଜାନକୀ ରାଓ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଇ ଜି ଶ୍ରୀ ନିତିନ କେଶର, ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

 

ଆଜିର ସାଂସ୍କୃତିକ ମଞ୍ଚ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାମରେ ସମର୍ପିତ ହେଇଥିଲା। ଅତିରିକ୍ତ ଜ଼ିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ଉପ ଜିଲ୍ଲାପାଳ ବ୍ରହ୍ମପୁର ଅବିନାଶ କୁମାର, ଛତ୍ରପୁର ଉପଜ଼ିଲ୍ଲାପାଳ ଶୁଭାଶିଷ ବରାଳ, ଭଞ୍ଜନଗର ଉପଜ଼ିଲ୍ଲାପାଳ ଉମାଶଙ୍କର ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଆଜି ସକାଳେ ମା ତାରାତାରିଣୀ ମନ୍ଦିର (ପୁରୁଷୋତ୍ତମପୁର), ମା ବାଳକୁମାରୀ ମନ୍ଦିର (ଚିକିଟି) ଏବଂ ଭଞ୍ଜନଗର ନିକଟସ୍ଥ ମା କୁଲାଡ ଦେବୀ ମନ୍ଦିରରୁ ଏକାସାଥିରେ ଏକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ନାରାୟଣପୁର ଗ୍ରାମ ନିକଟରେ ପହଞ୍ଚିଥିଲା ସେଠାରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ନାମ ସଂକୀର୍ତନ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଗୋପାଳପୁର ବେଳାଭୂମିରେ ଏକତ୍ରିତ ହୋଇଥିଲେ। ସେଇଠି ବନାରସରୁ ଆସିଥିବା ସାଧୁ ସନ୍ଥ ଙ୍କ ଦ୍ୱାରା ଓଡ଼ିଶାରେ ବସ୍ତୁତଃ ପ୍ରଥମ ଥର ପାଇଁ ଅନନ୍ୟ ସମୁଦ୍ର ଆଳତୀ କରାଯାଇ ମହୋତ୍ସବର ଶୁଭ ଉଦ୍ଘାଟନ ହୋଇଥିଲା ।

 

ଆଜିର ଷ୍ଟାର ନାଇଟ୍‌ସ କାର୍ଯ୍ୟକ୍ରମରେ ବି ପ୍ରାକ, କୁଲଦୀପ ପଟ୍ଟନାୟକ, ଶାଶ୍ୱତ ଯୋଶୀ, ଅନନ୍ୟା ଦାସ ସହିତ ସ୍ଥାନୀୟ କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଜନସାଧାରଣଙ୍କ ମନମୋହିଥିଲେ । ପାଖାପାଖି ୨୫୦ଟି ଷ୍ଟଲ ସହିତ ଏକ ବୃହତ୍ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇଛି । ସମଗ୍ର ଦେଶର ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଉଦ୍ୟୋଗ, ହସ୍ତଶିଳ୍ପ ଓ ହସ୍ତତନ୍ତ ୟୁନିଟ ଏବଂ ସ୍ଥାନୀୟ ବ୍ୟବସାୟୀମାନଙ୍କ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହେଉଛି । ଦର୍ଶନାର୍ଥୀମାନଙ୍କ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ଟି ଖାଦ୍ୟ ଷ୍ଟଲରେ ବିବିଧ ସ୍ୱାଦିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜ଼ିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।