କବିସୂର୍ଯ୍ୟ ରକ୍ତଦାନ ସେବାସଂଘର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ଆଦର୍ଶ ଶିକ୍ଷକ ରୂପେ ସମ୍ମାନିତ ହେଲେ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ଆଇ ବି ଷ୍ଟାଡିୟମ ପରିସରରେ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ଷଷ୍ଠ ବାର୍ଷିକ ଉତ୍ସବ ଓ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଖଣିଜ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଯୋଗଦେଇ କାର୍ଯ୍ୟକ୍ରମର ଗାରିମା ବୃଦ୍ଧି କରିଥିଲେ। ଅନୁଷ୍ଠାନର ଉଦ୍ଦେଶ୍ୟ ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ପ୍ରତିଷ୍ଠାତା ସୁମନ୍ତ କୁମାର ଚର୍ଚ୍ଚି ବିସ୍ତୁତ ଭାବେ ବର୍ଣ୍ଣନା କରିଥିଲେ। ରକ୍ତଦାନ ଭଳି ଏକ ମହତ ଅନୁଷ୍ଠାନ କରି ସାଧାରଣ ଲୋକଙ୍କ ସେବା କରିବା କ୍ଷେତ୍ରରେ ଏହି ଅନୁଷ୍ଠାନ କାମ କରୁଥିବା ଯୋଗୁଁ ଏଭଳି ଅନୁଷ୍ଠାନକୁ ସାଧୁବାଦ ଜ୍ଞାପନ କରିଥିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେହିପରି ଆସିକା ସାଂସଦୀୟ କ୍ଷେତ୍ରରେ ଏକ ରକ୍ତଦାନ ୟୁନିଟ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ ସାଂସଦ ଅନିତା ଶୁଭଦର୍ଶିନୀ। ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି ଏକ ମହତ ଅନୁଷ୍ଠାନ ଗଢି ଉଠିଥିବା ଜାଣିଲା ପରେ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଉକ୍ତ ରକ୍ତଦାନ ସେବା ସଂଘର ନିର୍ଦ୍ଦେଶକ ସୁଶାନ୍ତ କୁମାର ଚର୍ଚ୍ଚି ଓ ଉପଦେଷ୍ଟା ପ୍ରଶାନ୍ତ କୁମାର ଚର୍ଚ୍ଚି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭାପତି ତତ୍ତ୍ୱମସି ପରିଡା ସଭାପତିତ୍ୱ କରିଥିଲେ। କୋଭିଡ ସମୟରେ ଜନ୍ମ ନେଇଥିବା ଏହି ରକ୍ତଦାନ ସେବା ସଙ୍ଘ ଷଷ୍ଠ ବର୍ଷରେ ପହଞ୍ଚିଥିବା ବେଳେ ଆହୁରି ସୁଦୂର ପ୍ରସାରୀ ହେଉ ବୋଲି କହିଥିଲେ ଅନ୍ୟତମ ଅତିଥି ତଥା ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ। ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଗଞ୍ଜାମ ଜିଲ୍ଲା ହ୍ୟୁମାନ ରାଇଟସ୍ ସଭାପତି ଲୋକନାଥ ତ୍ରିପାଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠି, ସମାଜସେବୀ ରାମ ପ୍ରସାଦ ମହାରଣା, ବିଜେପି ମଣ୍ଡଳ ସଭାପତି ଅଶୋକ ଜେନା, ବରିଷ୍ଠ ନେତା ଶିଶିର ମିଶ୍ର, ବିଜୟ ସ୍ୱାଇଁ, ଯଜ୍ଞ ନାରାୟଣ ଦାଶ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷରୋପଣ, ସାମାଜିକ କାର୍ଯ୍ୟ ଓ ରକ୍ତ ଦାନ ପାଇଁ ପ୍ରକୃତି ପ୍ରେମୀ, ରକ୍ତ ଦାତା, ବିଜ୍ଞାନ ଶିକ୍ଷକ, ସିଆରସିସି ତଥା ସାମାଜିକ କର୍ମୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ – ୨୦୨୫ ରେ ସମ୍ମାନୀତ କରାଯାଇଥିଲା। ପ୍ରକାଶ ଥାଉକି, ଏହି ଶିକ୍ଷକ ବନ୍ଧୁ ପ୍ରକୃତି ସଂରକ୍ଷଣ ଏବଂ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପୂର୍ବରୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର, ବେଷ୍ଟ ଇନଷ୍ଟିଚ୍ୟୁଟନାଲ ଆଓ୍ଵାର୍ଡ, ଏବଂ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ପ୍ରାଇଡ୍ ଅଫ୍ ଓଡ଼ିଶା, ନେସନାଲ ବେଷ୍ଟ ସୋସିଆଲ ଓ୍ଵାର୍କର, ଇଣ୍ଟରନେସନାଲ ସୋସିଆଲ ଅନରବେଲ ଆଓ୍ଵାର୍ଡ, ଅନରେବଲ ଡକ୍ଟରେଟ ସମ୍ମାନ, ଶ୍ରୀ କ୍ଷେତ୍ର ସମ୍ମାନ, ଗ୍ରୀନ ହିରୋ ସମ୍ମାନ, କ୍ଲାଇମେଟ ରେଜିଲାଣ୍ଟ ସମ୍ମାନ, ଗ୍ରୀନ ମେନ୍ ସମ୍ମାନ, ଗ୍ରୀନ ଆର୍ମି କମାନଣ୍ଡେଣ୍ଟ ସମ୍ମାନ, ସବୁଜ ସାରଥୀ ସମ୍ମାନ, ବିପଦର ବନ୍ଧୁ ସମ୍ମାନ, ବୃକ୍ଷ ପ୍ରେମୀ ସମ୍ମାନ, ଅମୂଲ୍ୟ ଦାସ ସ୍ମୃତି ସମ୍ମାନ, ପ୍ରକୃତି ପୂଜାରୀ ସମ୍ମାନ, ଏହିପରି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ସେହିପରି ଆଜିର ସମ୍ବର୍ଧନା ଉତ୍ସବରେ ନିଜର ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ଅନେକ ସମାଜସେବୀ ଏବଂ ରକ୍ତଦାତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଓଏଏସ୍, ଏମବିବିଏସ ଏବଂ ଏନଆଇଟି ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଅନ ଲାଇନ ମାଧ୍ୟମରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ମଧ୍ୟ ସମ୍ମାନ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶିକ୍ଷାବିତ ଦିବାକର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ। କବିସୂର୍ଯ୍ୟ ରକ୍ତଦାନ ସେବା ସଙ୍ଘ ଦ୍ୱାରା ଉପକୃତ ହୋଇଥିବା କିଛି ବ୍ୟକ୍ତି ନିଜର ସ୍ମୃତିକୁ ମଞ୍ଚରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ରତ୍ନାକର ସିୟ ଓ ଆଦ୍ୟାଶ୍ରୀ ରଥ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସାହାଯ୍ୟ ଓ ସହଯୋଗ କରିଥିଲେ। କାର୍ଯ୍ୟକାରୀ ସଭାପତି ବାଲ୍ମୀକି ବିଷୋୟୀ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଉତ୍ସବରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
