ପୁରୀରେ ରାଷ୍ଟ୍ରୀୟ 108 କୁଣ୍ଡୀୟ ମହାଯଜ୍ଞର ସପ୍ତମ ଦିବସରେ ଯୋଗଦେଲେ ପୂଜାପଣ୍ଡା ସେବାୟତ
ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ 108 କୁଣ୍ଡୀୟ ଶ୍ରୀ ଶ୍ରୀ 1008 ଶ୍ରୀ ଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞର ସପ୍ତମ ଦିବସରେ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗର ସଂପାଦକ ସାମନ୍ତ ମାଧବ ଚନ୍ଦ୍ର ପୂଜାପଣ୍ଡା ଯଜ୍ଞସ୍ଥଳରେ ଉପସ୍ଥିତ ରହି ଭବ୍ୟ ଆୟୋଜନ ଦେଖି ଅଭିଭୂତ ହୋଇଥିଲେ । ସେ କହିଥିଲେ ସନାତନ ଧର୍ମର ରକ୍ଷା ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ଭବ ହୋଇପାରିବ । ସମାଜର ଯୁବପୀଢି ଏବଂ ଶ୍ରୀମନ୍ଦିର ସେବାୟତ ବନ୍ଧୁମାନେ ଏହି ଯଜ୍ଞସ୍ଥଳ ଦର୍ଶନ କରି ପୂଣ୍ୟଲାଭ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାପରେ ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ଶ୍ରୀ ଶ୍ରୀ 108 ଶ୍ରୀ ସୀତାରାମ ଦାସ ଜୀ ମହାରାଜଙ୍କର ଦର୍ଶନ କରିଥିଲେ ।
ଯଜ୍ଞସ୍ଥଳରେ ବିଶ୍ୱହିନ୍ଦୁ ପରିଷଦର ଫୁଲବାଣୀ ଜିଲ୍ଲା ସାଂଗଠନିକ ସଂପାଦକ ପଦ୍ଣଲୋଚନ କର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୁରୀ ନଗର ସଂଘ ଚାଳକ ଶ୍ୟାମସୁନ୍ଦର ହାଲଦାର, କଳାହାଣ୍ଡିର ସମାଜସେବୀ ପୱନ ଶର୍ମା ପ୍ରମୁଖ ଉପସ୍ଥିତ ରହି ଯଜ୍ଞ ଦର୍ଶନ କରିଥିଲେ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଶ୍ୱହିନ୍ଦୁ ପରିଷଦର ହରିକଥା ପ୍ରଶିକ୍ଷଣ କେନ୍ଦ୍ରର ସଦସ୍ୟମାନେ ସେବା କାର୍ଯ୍ୟ କରିଥିବାବେଳେ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
ଏହି ଯଜ୍ଞୋତ୍ସବରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ରଞ୍ଜିତା ପାଢୀ, କାର୍ତ୍ତିକ ପଣ୍ଡା, ଗଣେଶ୍ୱର ପଣ୍ଡା, ପୀତବାସ ପଣ୍ଡା ଓ ମନୋଜ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ