March 12, 2026

ଗଜପତି ରେ ବିଶ୍ବ ପର୍ଯ୍ୟଟନ ଦିବସ- ୨୦୨୪ ପାଳନ

IMG-20240927-WA0037
Share

ପାରଳାଖେମୁଣ୍ଡି,

ଆଜି ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷ-୨ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କ ଅଧ୍ୟକ୍ଷତାରେ ବିଶ୍ବ ପର୍ଯ୍ୟଟନ ଦିବସ-୨୦୨୪ ପାଳିତ ହୋଇଯାଇଛି ।

ପ୍ରଥମେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପସ୍ଥିତ ଅନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ପର୍ଯ୍ୟଟନ ଅଧିକାରୀ (ଭାରପ୍ରାପ୍ତ) ଶ୍ରୀ ଅରୁଣ କୁମାର ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ଏହାପରେ ମୁଖ୍ୟ ଅତିଥି ନିଜ ଅଭିଭାଷଣ ରେ ଗଜପତିରେ ଥିବା ବିଭିନ୍ନ ପର୍ଯ୍ୟଟନ ଶିଳ୍ପର ସୁରକ୍ଷା କରାଯିବା ସହ ଏହାକୁ ସଫା ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ତା ସହ ପର୍ଯ୍ୟଟନର ବିକାଶ ହେଲେ ଜିଲ୍ଲାର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ଅଗ୍ରଗତି ଉପରେ କହିବାକୁ ଯାଇ କହିଥିଲେ ଯେ, ଜିଲ୍ଲାରେ 17 ଗୋଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ରାଜ୍ୟ ସରକାର 16 ଗୋଟ ପର୍ଯ୍ୟଟନ ସ୍ଥଳର ବିକାଶ ନିମନ୍ତେ ଅନୁଦାନ ପ୍ରଦାନ କରିଛନ୍ତି। ଏଥି ମଧ୍ୟରୁ ଗୋଟିଏ ପର୍ଯ୍ୟଟନ ସ୍ଥଳୀ ଯଥା ବୌଦ୍ଧ ମନ୍ଦର, ଚନ୍ଦ୍ରଗିରିରି କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଅନ୍ୟ ଗୁଡ଼ିକର କାର୍ଯ୍ୟ ଆରମ୍ଭ ହେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଏହି ଅବସରରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ, “ପର୍ଯ୍ୟଟନ ଏବଂ ଶାନ୍ତି” ଉପରେ ତା 22-09-2024 ରିଖରେ ହୋଇଥିବା କୁଇଜ୍ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏହି କୁଇଜ୍ ପ୍ରତିଯୋଗିତାରେ ସହର ଏବଂ ପାଖ ଅଞ୍ଚଳର ପ୍ରାୟ 18 ଗୋଟି ଶିକ୍ଷାନୁଷ୍ଠାନ (ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ) ରୁ 88 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ମଧ୍ୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତା 2023 ରେ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ଜିଲ୍ଲାର କିଛି ପର୍ଯ୍ୟଟନ ପ୍ରେମୀ ଏବଂ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେମାନଙ୍କର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନୃସିଂହ ରଥ ତାଙ୍କ ବକ୍ତୃତାରେ କହିଥିଲେ ଯେ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀରେ କିପରି ଉନ୍ନତି ହେବ ତା ପ୍ରତି ସରକାର ଯଥେଷ୍ଟ ଧ୍ୟାନ ଦେଲେ ଜିଲ୍ଲାକୁ ଅଧିକ ପର୍ଯ୍ୟଟକ ଆସିପାରିଥାନ୍ତେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ସନ୍ତୋଷ କୁମାର ନାୟକ, ଡ଼େପୁଟି କଲେକ୍ଟର (ଏମାର୍ଜେନ୍ସି) ଶ୍ରୀ କମଳକାନ୍ତ ପଣ୍ଡା, ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଅମିତ ନାୟକ, ପୂର୍ବତନ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଗଜପତି ଶ୍ରୀ ରାମଚନ୍ଦ୍ର ପାଢୀ ଏବଂ ସହାୟକ ଶ୍ରୀ ସୁଧିର କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।