April 28, 2026

ଏନସିଇଆର୍ଟି ପୁସ୍ତକରେ ପାଇକ ବିଦ୍ରୋହ ସ୍ଥାନ ନପାଇବା ପ୍ରସଙ୍ଗ ପାଇକ ବିଦ୍ରୋହକୁ ସ୍ଥାନ ନଦେବା ରାଜ୍ୟବାସୀଙ୍କ ସହିତ ପ୍ରତାରଣା: ବିଜେଡି

IMG-20250727-WA0004
Share

 

 

( ଦେବାଶିଷ ଦାଶ ‌କ୍କ ରିପୋର୍ଟ )

 

ମନ୍ତ୍ରୀପଦ ଚାଲିଯିବା ଭୟରେ ଧର୍ମେନ୍ଦ୍ର ଚୁପ

କେବଳ ଭୋଟ ହାତେଇବା ପାଇଁ ବିଜେପି ଓଡ଼ିଆ ଅସ୍ମିତା ନାରା ଦେଇଥିଲା

 

ନିକଟରେ ପ୍ରକାଶିତ ହୋଇଥିବା ଏନସିଇଆର୍ଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ସ୍ଥାନ ନପାଇବାକୁ ନେଇ ବିଭିନ୍ନ ବର୍ଗରୁ ସମାଲୋଚନା କରାଯାଉଥିବା ବେଳେ, ବିଜୁ ଜନତା ଦଳ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ଘେରିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ ଲେନିନ ମହାନ୍ତି ଏହାକୁ ଦୃଢ଼ ସମାଲୋଚନା କରିବା ସହିତ ବିଜେପି ଓ ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅନେକ ଅସମାହିତ ପ୍ରଶ୍ନ କରିଥିଲେ।

ଡ. ମହାନ୍ତି କହିଥିଲେ, ୧୮୧୭ ମସିହାରେ ହୋଇଥିବା ପାଇକ ବିଦ୍ରୋହ ବ୍ରିଟିଶ ସରକାରଙ୍କ ନୀତି ବିରୋଧରେ ପ୍ରଥମ ଦୃଢ଼ ସଂଗ୍ରାମ। ଏହି ପାଇକ ବିଦ୍ରୋହ କେବଳ ଓଡିଶାର ଗାରିମାମୟ ଐତିହ୍ୟ ନୁହେଁ, ଏହା ଭାରତ ଇତିହାସର ଏକ ଗୌରବମୟ ଦିଗ। ଏହା ପୂର୍ବରୁ ଏନସିଇଆର୍ଟି ପୁସ୍ତକରେ ସ୍ଥାନ ଦେଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ହଟାଇ ଦେଇଛି। ପାଇକ ବିଦ୍ରୋହକୁ ଭାରତର ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମର ମାନ୍ୟତା ଦେବା ପାଇଁ ଓଡିଶା ଦାବୀ କରି ଆସୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଥିଲେ ମଧ୍ୟ ଏହି ବିଦ୍ରୋହ ଏନସିଇଆର୍ଟି ପୁସ୍ତକରେ ସ୍ଥାନ ପାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଡ. ମହାନ୍ତି କହିଥିଲେ, ନିର୍ବାଚନ ସମୟରେ, ଓଡ଼ିଆ ଅସ୍ମିତାର ନାରା ଦେଇଥିବା ବିଜେପି ପାଇକ ବିଦ୍ରୋହକୁ ଏନସିଇଆର୍ଟିରେ ସ୍ଥାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ନିକଟରେ ପ୍ରକାଶିତ ହୋଇଥିବା ପାଠ୍ୟକ୍ରମରେ ସ୍ଥାନ ପାଇନାହିଁ। ଏହାକୁ ନେଇ ବିଭିନ୍ନ ବର୍ଗରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ, ଏନସିଇଆର୍ଟି ତରଫରୁ ପ୍ରକାଶିତ ପୁସ୍ତକର ଦ୍ଵିତୀୟ ଭଲ୍ୟୁମରେ ଏହା ସ୍ଥାନ ପାଇବ ବୋଲି ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ, ଏହି ସ୍ପଷ୍ଟୀକରଣ ଗ୍ରହଣୀୟ ନୁହେଁ ବୋଲି ଡ. ମହାନ୍ତି କହିଥିଲେ।

ସେ କହିଥିଲେ, ୨୦୨୪ ପର୍ୟ୍ୟନ୍ତ ପ୍ରକାଶିତ ହୋଇ ଆସୁଥିବା ଏନସିଇଆର୍ଟି ପୁସ୍ତକ କେବଳ ଗୋଟିଏ ଭଲ୍ୟୁମ ରହିଥିବା ବେଳେ ଚଳିତ ବର୍ଷ ଦ୍ଵିତୀୟ ଭଲ୍ୟୁମ ରହିବ ବୋଲି ମନ୍ତବ୍ୟ ଜାରି କରିବା, ଗ୍ରହଣୀୟ ହୋଇ ପାରୁନାହିଁ। ଏହାଛଡା, ପ୍ରକାଶିତ ପୁସ୍ତକରେ ୧୮୫୭ ସିପାହୀ ବିଦ୍ରୋହ ପ୍ରକାଶ ହୋଇ ସାରିଥିବାରୁ, ଏହାର ବହୁ ପୂର୍ବରୁ ହୋଇଥିବା ପାଇକ ବିଦ୍ରୋହ କିପରି ଭଲ୍ୟୁମ ୨ ରେ ସ୍ଥାନ ପାଇବ ବୋଲି ସେ ପ୍ରଶ୍ନ କରିଛନ୍ତି। ବିବାଦ ହେବା ପରେ ଏପରି ମନ୍ତବ୍ୟ ରଖିବା ଏକ ଭେଳିକି ଓ କେବଳ ବିଭିନ୍ନ ବର୍ଗରୁ ପ୍ରକାଶ ପାଉଥିବା ପ୍ରତିକ୍ରିୟାକୁ ପ୍ରଶମିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଡ. ମହାନ୍ତି କହିଥିଲେ।

ସେ ଆହୁରି କହିଥିଲେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ, ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଓଡିଶାବାସୀଙ୍କ ପ୍ରତି ପ୍ରତାରଣା। ନିଜ ମନ୍ତ୍ରୀପଦ ଚାଲିଯିବା ଭୟରେ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି। ସେ ସ୍ପଷ୍ଟ କରନ୍ତୁ, ଏହି ପୁସ୍ତକରେ, ପାଇକ ବିଦ୍ରୋହକୁ ବାଦ ଦିଆ ଯାଉଛି ବୋଲି ସେ ଅବଗତ ଥିଲେ କି ନାହିଁ? ଯଦି ଅବଗତ ଥିଲେ, ତାହେଲେ ନିରବ ରହିଲେ କାହିଁକି? ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ ନା ଏଭଳି ମିଛ ପ୍ରତିଶ୍ରୁତି ଦେବା ତାଙ୍କର ଅଭ୍ୟାସ। ଏହାଛଡା, ଓଡ଼ିଆ ଅସ୍ମିତା ନାରା କ’ଣ କେବଳ ଓଡିଶାବାସୀଙ୍କ ଭୋଟ ହାତେଇବା ପାଇଁ ଉଦିଷ୍ଟ ଥିଲା? ଭୋଟ ହାତେଇବା ପରେ ମନ୍ତ୍ରୀ ପଦବୀ ହାସଲ ହେବା ପରେ ଓ ଓଡିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ଓଡ଼ିଆ ଅସ୍ମିତା ଚୁଲିକି ଯାଇଛି।