ନବରଙ୍ଗପୁର ଜିଲ୍ଲା ଉମରକୋଟରେ ନିର୍ବାଚନୀ ପ୍ରଚାର କଲେ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ…..
ଉମରକୋଟ – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ଧୋଡ୍ରା ଠାରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହି ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଉଭୟ ସଭାରେ ଅନେକ ନେତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି
ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ଏପରିକି ମା’ ମାନଙ୍କୁ ଆମେ ଦୁବାଇ ପଠାଉଛୁ। ତାକୁ ବି ସେମାନେ ସହିପାରୁ ନାହାନ୍ତି। ସେ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ । ଜନତା ତାଙ୍କୁ ଉଚିତ ଜବାବ ଦେବେ । ଉଭୟ ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ସେ ଆହ୍ବାନ ଦେଇଥିଲେ।
ଏହି ସଭାରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀ ମାନଙ୍କୁ ବହୁତ ଭଲ ପାଆନ୍ତି। ଆପଣମାନଙ୍କ ପାଇଁ ସେ ଦିନରାତି କାମ କରୁଛନ୍ତି। ଜନଜାତି କଳା ଓ ସଂସ୍କୃତିର ପ୍ରସାର ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆପଣମାନଙ୍କ ପିଲାମାନେ ଯେପରି ଭଲ ପାଠ ପଢି ଭଲ ମଣିଷ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ୫ଟି ସ୍କୁଲ ରୂପାନ୍ତର କରିଛନ୍ତି।
ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି । ଲୋକସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ବହୁ ଆଗରୁ ଦାବୀ କରିଆସିଛି, ପଦକ୍ଷେପ ବି ନେଇଛି । ଆମର ୨୧ ସାଂସଦ ପ୍ରାର୍ଥୀରୁ ଆମ ମୁଖ୍ୟମନ୍ତ୍ରୀ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି ଏହି ଜିଲ୍ଲାରୁ ମଧ୍ୟ ୨ ଜଣ ଅନୂସୁଚିତ ଜନଜାତି ମହିଳାଙ୍କୁ ବିଧାୟକ ଭାବେ ପ୍ରାର୍ଥୀ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାମ ହିଁ କଥା କହେ । ମହିଳା ସଶକ୍ତିକରଣ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଗୁ ଲକ୍ଷ ଲକ୍ଷ ମା ଉପକାର ପାଇଛନ୍ତି ବୋଲି ସେ କହିଥିଲେ । ସେହିପରି ଚାଷୀ ମାନଙ୍କୁ ମଧ୍ୟ କାଳିଆ ଯୋଜନାରେ ଆର୍ଥିକ ସୁବିଧା ଦିଆଯାଉଛି, ଫସଲ ବୀମାର ପ୍ରିମିଅମ ରାଜ୍ୟ ସରକାର ଦେଉଛନ୍ତି ଓ ସେମାନଙ୍କୁ ମଧ୍ୟ ବିନା ସୁଧରେ ଋଣ ଦିଆଯାଇ ସଶକ୍ତିକରଣ କରାଯାଉଛି ।
ଏହି ଅବସରରେ ସେ ଜନସାଧାରଣଙ୍କୁ ଭେଟିଥିଲେ । ସରକାରଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ବିଶ୍ବାସକୁ ମଜବୁତ କରିଛି ବୋଲି ସେ କହିଥିଲେ। ଲୋକଙ୍କଠାରୁ ଯାହା ପ୍ରସ୍ତାବ ପାଇଥିଲୁ, ସେଥିରୁ ୭୦ ରୁ ୮୦ ଭାଗ କାମ ଦୁଇ-ତିନି ମାସ ମଧ୍ୟରେ ପୂରଣ ହୋଇଛି । ଏହା ହେଉଛି ନବୀନଙ୍କ ଗ୍ୟାରେଣ୍ଟି ବୋଲି ସେ କହିଥିଲେ ।
ଏହି ସଭାରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି , ଉମରକୋଟ ବିଧାୟକ ପ୍ରାର୍ଥୀ ନବିନା ନାୟକ ଓ ଝରିଗାଁ ବିଧାନସଭା ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝିଙ୍କ ସହିତ ବିଜୁ ଜନତା ଦଳର ଅନେକ ନେତା ଅଭିଭାଷଣ ରଖିଥିଲେ।(ନବରଙ୍ଗପୁର ଜିଲ୍ଲା ରୁ ଏମ୍. ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)