ସପ୍ତଦିବସୀୟ ଯୋଗ ସାଧନା ପ୍ରଶିକ୍ଷଣ ଶିବିର ଉଦଯାପିତ

ବୁଗୁଡା : ତା ୨୭/୦୩/୨୫ : ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମସ୍ଥିତ ବିଶ୍ବକର୍ମା ଭବନ ପରିସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ସପ୍ତଦିବସୀୟ ଯୋଗ ସାଧନା ଶିବିର ଉଦଯାପିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ବିପ୍ର ଚରଣ ପାତ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଶିବିର ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ କେନ୍ଦ୍ର ସଭାପତି ଅରବିନ୍ଦ ପାତ୍ର ଯୋଗ ଦେଇ ସ୍ବାସ୍ଥ୍ୟ ସମ୍ପଦର ସୁରକ୍ଷା ପାଇଁ ଯୋଗ ସାଧନାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କେ ଆଲୋକପାତ କରିଥିଲେ। ଏଥି ସହ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ମଙ୍ଗୁଳି ପାତ୍ର, ଉପସଭାପତି ମାଧବ ଚନ୍ଦ୍ର ଭୋଳ, ସହସମ୍ପାଦକ ସନ୍ତୋଷ ରାଓ ଦୋରା, ଉପଦେଷ୍ଟା ବଂଶୀଧର ବିଷୋୟୀ ଓ ଦ୍ଵିତୀକୃଷ୍ଣ ବିଶ୍ଵାଳ, ବିଜୟ ଚନ୍ଦ୍ର ମହାରଣା,ପଦ୍ମ ଲୋଚନ ଗୌଡ ପ୍ରମୁଖ ଯୋଗ ସାଧନାର ଉପକାରିତା ବିଷୟରେ ମତବ୍ୟକ୍ତ କରିଥିଲା ବେଳେ ଶିବିରାର୍ଥୀମାନେ ସେମାନଙ୍କ ସକାରାତ୍ମକ ଅନୁଭୂତି ପ୍ରକାଶ କରିଥିଲେ।ଏ ଅବସରରେ ଚଳପ୍ରଚଳରେ ଅସାମର୍ଥ୍ୟ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକଙ୍କୁ ଆଶାବାଡ଼ି ଓ ଆଣ୍ଠୁପଟି ପ୍ରଦାନ କରିଯାଇଥିଲା। ଏଥି ସହ ଶିବିରାର୍ଥୀଙ୍କ ମନୋରଞ୍ଜନ ସକାଶେ ଆଧ୍ଯାତ୍ମିକ ଭଜନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିଶେଷରେ ଦ୍ବିତୀକୃଷ୍ଣ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।