ମରିବୁ ପଛେ ନିୟମଗିରି ଛାଡିବୁ ନାହିଁ

ଲାଞ୍ଜିଗଡ଼ -( ପୁରନ୍ଦର ଦଣ୍ଡସେନା )” ମରିବୁ ପଛେ ନିୟମଗିରି ଛାଡିବୁ ନାହିଁ “, ଏ କଥା କହିଛନ୍ତି ନିୟମ ଗିରି ପର୍ବତରେ ବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ଆଦିବାସୀ ମାନେ l
ବର୍ତ୍ତମାନ ବେଦାନ୍ତ କମ୍ପାନୀ ତାର ଆଲୁମିନା ପ୍ରକଳ୍ପ ଚଳାଇବା ପାଇଁ ପ୍ରଚୁର କଞ୍ଚାମାଲ ବକ୍ସାଇଟର ଆବଶ୍ୟକ ଅଛି l ପୂର୍ବରୁ କମ୍ପାନୀ ବିଭିନ୍ନ ରାଜ୍ୟରୁ କଞ୍ଚାମାଲ ଆଣି ପ୍ରକଳ୍ପ ଚଳାଇଥିଲା l କିନ୍ତୁ ମୁଖ୍ୟତଃ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ନିୟମଗିରି ପର୍ବତରେ ଗଛିତ ଥିବା ପ୍ରଚୁର ବକ୍ସାଇଟକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ଠାରେ ଆଲୁମିନା ପ୍ରକଳ୍ପ ସ୍ଥାପନା କରିଥିଲା l 2003 ମସିହାରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା l କିନ୍ତୁ ନିୟମଗିରିରେ ବସ ବାସ କରୁଥିବା 112 ଖଣ୍ଡ ଗ୍ରାମର ପ୍ରାୟ ବାର ହଜାର ଆଦିମ ଡଙ୍ଗରିଆ କନ୍ଧ ଅଧିବାସୀ ଏବଂ ନିୟମଗିରି ନିକଟବର୍ତ୍ତୀ ପାଦ ଦେଶରେ ବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକେ ନିୟମଗିରିରେ ଖଣି ଖନନକୁ ତୀବ୍ର ବିରୋଧ କଲେ l ଏହା ଏକ ବିରାଟ ଆନ୍ଦୋଳନର ରୂପ ନେଲା l ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ କେଶ ଚାଲୁରହିଛି l
ନିୟମଗିରି ବେଦାନ୍ତ କମ୍ପାନୀକୁ ଦିଆଯିବା ଉଚିତ କି ନୁହେ, ସେ ବିଷୟରେ ସୁପ୍ରିମ କୋର୍ଟ ନିୟମଗିରି ଅଞ୍ଚଳକୁ CEC କୁ ପଠାଇଥିଲେ l କମିଟି ଅନୁସନ୍ଧାନ କରି ସୁପ୍ରିମ କୋର୍ଟଙ୍କୁ ରିପୋର୍ଟ ଦେଇଥିଲେ ଯେ, ନିୟମଗିରିରେ ଖଣି ଖନନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଉ l କାରଣ ନିୟମଗିରି ଜୈବ ବିବିଧତାରେ ପରିପୂର୍ଣ୍ଣ l ଦ୍ଵିତୀୟ ଥର ପାଇଁ ମଧ୍ୟ କମିଟି ସମାନ ରିପୋର୍ଟ ଦେଇଥିଲେ l ଏହା ପରେ ବେଦାନ୍ତ କମ୍ପାନୀ ଗ୍ରାମସଭା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ l ତଦନୁଯାୟୀ ନିୟମଗିରିରେ 12 ଟି ଆଦିବାସୀ ଗ୍ରାମରେ ଗ୍ରାମ ସଭା ହୋଇ ସେମାନଙ୍କ ମତ ନିଆଯାଇଥିଲା l କିନ୍ତୁ ସମସ୍ତେ ଏକ ସ୍ୱରରେ ନିୟମଗିରିରେ ଖଣି ଖନନକୁ ତୀବ୍ର ବିରୋଧ କରିଥିଲେ l ସେମାନଙ୍କ କହିବା କଥା ହେଲା, ନିୟମଗିରିରେ ଜନ୍ମ ହୋଇଛନ୍ତି ଏବଂ ନିୟମଗିରି ସେମାନଙ୍କ ଜୀବନ ଓ ଜୀବିକା l ବଞ୍ଚିବା ପାଇଁ ଯାହା ଆବଶ୍ୟକ ସେମାନେ ସବୁ କିଛି ନିୟମଗିରିରୁ ପାଉଛନ୍ତି l
ଏ ମଧ୍ୟରେ ବେଦାନ୍ତ କମ୍ପାନୀ ନିୟମଗିରି ଖଣି ଖନନ ପାଇଁ ପୁଣି ଏକ ଚକ୍ରାନ୍ତ ଚଳାଇଛି l ଚଳିତ ମାସ 5 ତାରିଖରେ ଗୁଡ଼ାଏ ବସରେ ଅନେକ ଭଡ଼ାଟିଆ ଲୋକଙ୍କୁ ନେଇ 7 ତାରିଖରେ ଭୁବନେଶ୍ୱରରେ ଏକ ରାଲିର ଆୟୋଜନ କରିଥିଲା l ସେଇ ଭଡ଼ାଟିଆ ଲୋକଙ୍କୁ ନେଇ ( ଯେଉଁ ମାନଙ୍କ ମଧ୍ୟରେ ନିୟମଗିରି ବାସୀ କେହି ନ ଥିଲେ ) ନିୟମଗିରିରୁ ବକ୍ସାଇଟ ଖନନର ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଦାବୀପତ୍ର ଦେଇଥିଲେ l
ଏ କଥା ପ୍ରଚାରିତ ହେବା ପରେ ନିୟମଗିରିରେ ବାସ କରୁଥିବା ସମସ୍ତ ଡଙ୍ଗରିଆ ଆଦିବାସୀ ଏହାକୁ ବିରୋଧ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ସେମାନଙ୍କ କହିବା କଥା ଯେ, ଯେଉଁମାନେ ନିୟମଗିରିର ବାସୀନ୍ଦା, ସେମାନଙ୍କ ମତ ନ ନେଇ କମ୍ପାନୀ ଦଲାଲ ମାନଙ୍କୁ ନେଇ ଖଣି ମାଗି ଯିବା ଦ୍ୱାରା ଆଦିବାସୀମାନଙ୍କୁ ଆହୁରି ଉତ୍ୟକ୍ତ କରିଛି l ସେମାନେ ନିୟମଗିରିର ସୁରକ୍ଷା ପାଇଁ ପୁଣି ଥରେ ଲଢ଼େଇ କରିବାକୁ ପ୍ରସ୍ତୁତ l ଏଇ ପରିପ୍ରେକ୍ଷୀରେ ନିୟମଗିରିର ଆଦିବାସୀ ମାନେ ନିୟୁଜ ଉପାନ୍ତ ଖବର ସାମ୍ବାଦିକଙ୍କୁ ଉପରୋକ୍ତ ବିଷୟରେ ଆଲୋଚନା ପାଇଁ ଏକ ଅନୁରୋଧ ପୂର୍ଣ୍ଣ ସନ୍ଦେଶ ପଠାଇ ଥିଲେ l ସେମାନଙ୍କ ଅନୁରୋଧ ରକ୍ଷା କରି ନିୟୁଜ ଉପାନ୍ତ ଖବର ନିୟମଗିରିର ପାଣିମୁଣ୍ଡା, ବାଟୁଲି, କେଶରପାଡ଼ି, ସେରକାପାଡ଼ି, ଖମେସି ଓ ଜାରପା ଗ୍ରାମ ମାନଙ୍କରେ ପହଞ୍ଚି ଥିଲା l ସେହି ସବୁ ଗ୍ରାମରେ ବାସ କରୁଥିବା ଡଙ୍ଗରିଆ ଆଦିବାସୀମାନେ ନିୟମଗିରିକୁ ନେଇ ପ୍ରସାରିତ ଖବର ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ l ସେମାନଙ୍କ କହିବା କଥା ଯେ, ନିୟମଗିରି ରେ ସେମାନେ ଆଦିମ କାଳରୁ ବାସ କରି ଆସୁଛନ୍ତି l ନିୟମଗିରି ହିଁ ସେମାନଙ୍କ ଜୀବନ ଓ ଜୀବିକା l ନିୟମଗିରି କୁ ଛାଡ଼ି ସେମାନେ ବଞ୍ଚି ପାରିବେ ନାହିଁ l ଯେଉଁମାନେ ନିୟମଗିରି ଅଞ୍ଚଳର ଲୋକ ନୁହନ୍ତି, ସେମାନେ କିପରି ସେମାନଙ୍କ ବାସସ୍ଥାନ ନିୟମଗିରିକୁ କମ୍ପାନୀ ହାତରେ ଟେକି ଦେବା ପାଇଁ ସରକାରଙ୍କ ନିକଟରେ ଦାବୀ କରି ପାରିବେ ? 2013 ମସିହାରେ ଯେଉଁ 12 ଟି ଗ୍ରାମରେ ଗ୍ରାମ ସଭା ହୋଇଥିଲା, ସେହି ସଭାରେ ସମସ୍ତେ ନିୟମଗିରିରେ ଖଣି ଖନନକୁ ବିରୋଧ କରିଥିଲେ l ତାହେଲେ ଆଜି ପୁଣି ବେଦାନ୍ତ କମ୍ପାନୀ ନିୟମଗିରିକୁ ହାତେଇବା ପାଇଁ ଦଲାଲମାନଙ୍କୁ ଧରି କାହିଁକି ଏ ହୀନ ଚକ୍ରାନ୍ତ ଚଳାଇଛି ? ସବୁ ଗାଁର ଆଦିବାସୀ ମାନେ କହିଲେ, ଆମେ ଜୀବନ ଦେବୁ ପଛେ, ନିୟମଗିରି ଛାଡିବୁ ନାହିଁ l ଯଦି ସରକାର କମ୍ପାନୀର ଦଲାଲ ମାନଙ୍କ କଥାରେ ନିୟମଗିରିକୁ କମ୍ପାନୀ ହାତରେ ଟେକି ଦେବାକୁ ଚେଷ୍ଟା କରିବେ, ତାହେଲେ ନିୟମଗିରିରେ ବାସ କରୁଥିବା ହଜାର ହଜାର ଆଦିବାସୀ ନିଜର ଭିଟା ମାଟିର ସୁରକ୍ଷା ପାଇଁ ପୁଣି ଥରେ ଜୋରଦାର ଆନ୍ଦୋଳନ କରିବା ପାଇଁ ଓହ୍ଲାଇ ଆସିବେ l ଏହା ପରେ ସେମାନଙ୍କର ଏହି ବାର୍ତ୍ତାକୁ ସରକାର ତଥା କମ୍ପାନୀ ନିକଟରେ ପହଞ୍ଚାଇ ଦେବା ପାଇଁ ଅନୁରୋଧ ଓ ଆଗ୍ରହ ପ୍ରକାଶ କରିଥିଲେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର